ଜମ୍ମୁ-କାଶ୍ମୀରରେ ଓଡିଆ ପୁଅଙ୍କୁ ନେଇ ଚର୍ଚ୍ଚା । କେବେ ଟ୍ରାଫିକ ଉଲ୍ଲଂଘନରକାରୀଙ୍କୁ ସାବାଡ କରି ପ୍ରଂଶସା ସାଉଁଟିଥିଲେ, ଆଉ ଏବେ… ।

1,064

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ନେଇ ପୁଣି ଚର୍ଚ୍ଚା । ଯେଉଁଠି ପ୍ରତିଦିନ ପୋଲିସ ଉପରେ ପଥରମାଡ କରାଯାଉଛି ସେଠାରେ ବସନ୍ତ ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ । ଜମ୍ମୁ-କାଶ୍ମୀରର ଗରିବ ଛାତ୍ରଛାତ୍ରୀ ଯେଉଁମାନେ ଖଣ୍ଡିଏ ବହି କିଣି ନପାରି ପାଠ ପଢାରେ ଡୋରି ବାନ୍ଧୁଛନ୍ତି ସେମାନଙ୍କୁ ମାଗଣାରେ ବହି ଯୋଗାଇ ଦେଇ ପାଠ ପଢିବାକୁ ପୋତ୍ସାହିତ କରୁଛନ୍ତି ବସନ୍ତ । ଏପରିକି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ବୁକ୍ ବାବା ନାମରେ ଏକ ୱେବସାଇଟ ଖୋଲି ଏଥିରେ ବହି ଯୋଗାଇ ଦେଉଛନ୍ତି ବସନ୍ତ । ଯେଉଁଥିପାଇଁ ଜମ୍ମୁ-କାଶ୍ମୀରରେ ଏବେ ବସନ୍ତ ବୁକ୍ ବାଲେ ବାବା ନାମରେ ପରିଚିତ ।

କାଶ୍ମୀରରେ ଯେତେବେଳେ ପୁଲିସ ଅଧିକାରୀମାନେ ସୁରକ୍ଷାକର୍ମୀଙ୍କ ଗହଣରେ ଥାଆନ୍ତି ସେତେବେଳେ ଏକୁଟିଆ ବସନ୍ତ ରଥଙ୍କୁ ଦେଖିବାକୁ ମିଳିଥାଏ । ଜମ୍ମୁକାଶ୍ମୀରର ଗରିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ପ୍ରସ୍ତୁତ ପାଇଁ ବହି ଦେଇଥାନ୍ତି ବସନ୍ତ ରଥ । ନିଟ,ଜେଇଇ, ୟୁପିଏସସି, ଅନ୍ୟ ପ୍ରତିଯୋଗିତାମୂଳକ ଭଳି ପରୀକ୍ଷାରେ କିଭଳି ଗରିବ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ପ୍ରୟାସ କରୁଛନ୍ତି ବସନ୍ତ ରଥ । ଏପରିକି ବୁକ୍ ବାବା ୱେବସାଇଟରେ ଛାତ୍ରଛାତ୍ରୀ କେଉଁ ବହି ଚାହୁଁଛନ୍ତି ତାହା ଉଲ୍ଲେଖ କରିବା ପରେ ବିଭିନ୍ନ ସ୍ଥାନରୁ ଏହି ବହି କିଣିଥାନ୍ତି ବସନ୍ତ । ଆଉ ଏଥିପାଇଁ ତାଙ୍କୁ କିଛି ବନ୍ଧୁ ମଧ୍ୟ ସହଯୋଗ କରୁଥିବା କହିଛନ୍ତି ବସନ୍ତ ।

କିଛି ଛାତ୍ରଛାତ୍ରୀ ବସନ୍ତଙ୍କ ବାସଭବନକୁ ଆସି ବହି ନେଇଥାନ୍ତି । ସେହିଭଳି ଦୂରରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋରିଅର ମାଧ୍ୟମରେ ବହି ପଠାଇଥାନ୍ତି ବସନ୍ତ । ଛାତ୍ରଛାତ୍ରୀଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ବୋଲି କହିଛନ୍ତି ବସନ୍ତ । ଜମ୍ମୁ-କାଶ୍ମୀରର ପ୍ରତିଟି ଗରିବ ଛାତ୍ରଛାତ୍ରୀଙ୍କ ପାଖରେ ଆବଶ୍ୟକୀୟ ବହି ପହଞ୍ଚାଇବା ପାଇଁ ଏବେ ବୁକ୍ ଷ୍ଟଲ ଗୁଡିକରେ ମାଗଣା ବହି ଉପଲବ୍ଧ କରାଉଛନ୍ତି ବସନ୍ତ । ଏପରିକି କିଛି ସ୍ଥାନରେ ପ୍ଲବିକ ଲାଇବ୍ରେରୀ ମଧ୍ୟ ଖୋଲିବାକୁ ଯୋଜନା କରିଛନ୍ତି ଯେଉଁଠି ପିଲା ମାଗଣାରେ ପାଠ ପଢିପାରିବେ ।

ବସନ୍ତ ନିଜର ପିଲାଦିନର ସ୍ମୃତି ବାବଦରେ କୁହନ୍ତି ଯେ ସେ କେବେ ବି ଭୁଲିବେ ନାହିଁ ଯେ ତାଙ୍କ ମା କିଭଳି ଭୋକିଲା ରହି ତାଙ୍କୁ ପାଠ ପଢ଼ାଉଥିଲେ । ଯେବେ ମୁଁ କଲେଜରେ ପାଠ ପଢ଼ୁଥିଲି ସେତେବେଳେ ଜୋତା ଖଣ୍ଡେ କିଣିବାକୁ ଟଙ୍କା ନଥିଲା । ବହି ଖଣ୍ଡେ ପାଇଁ ଯେଭଳି ଆଉ କେହି ଛାତ୍ରଛାତ୍ରୀ ଅସୁବିଧାରେ ନ ପଡନ୍ତୁ ସେହି ପ୍ରୟାସରେ ଏବେ ଲାଗିପଡିଛନ୍ତି ଏହି ଓଡ଼ିଆ ଆଇପିଏସ ଅଫିସର । ଏହାପୂର୍ବରୁ ଜମ୍ମୁ-କାଶ୍ମୀରର ଟ୍ରାଫିକ ଆଇଜି ଭାବେ କାର୍ଯ୍ୟ କରି ବେଶ ପ୍ରଂଶସା ସାଉଁଟିଛନ୍ତି ବସନ୍ତ । ୨୦୦୦ ମସିହାର ଜମ୍ମୁ-କାଶ୍ମୀର କ୍ୟାଡରର ଆଇପିଏସ ଅଫିସର ବସନ୍ତ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅନ୍ ଦ ସ୍ପଟ ଫଇସଲା କରି ବେଶ ଚର୍ଚ୍ଚାକୁ ଆସିଥିଲେ । ଏବେ ବସନ୍ତ ଜମ୍ମୁ-କାଶ୍ମୀରର ବରିଷ୍ଠ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।