ଇଣ୍ଟରନେଟରେ ଧମାଲ ମଚାଇଲେ ଓଡ଼ିଆ ଝିଅ ! ରାତାରାତି ସୋନମ କପୁର ଦେଲେ ବଲିଉଡ଼ ଅଫର

82

ପ୍ରିୟା ପ୍ରକାଶଙ୍କ ପରି ରାତାରାତି ଇଣ୍ଟରନେଟରେ ଚର୍ଚ୍ଚା ପାଲଟିଛନ୍ତି ଜଣେ ଓଡ଼ିଆ ଝିଅ। ଆମେରିକାରେ ଚିକାଗୋଠାରେ ରହୁଥିବା ଓଡ଼ିଆ ଝିଅ ଲିସା ମିଶ୍ର ନିଜର ସଂଗୀତ ଦକ୍ଷତା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଲିସା ମିଶ୍ରଙ୍କୁ ଲୋକପ୍ରିୟ ସଜାଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର୍। ଲିସା ବୃତ୍ତିଗତ ଭାବେ କଣ୍ଠଶିଳ୍ପୀ ନ ହେଲେ ବି ସଂଗୀତ ପ୍ରତି ତାଙ୍କର ରୁଚି ରହିଛି। ସେ ‘ବୀରେ ଦି େଓ୍ଵଡିଂ’ ଚଳଚ୍ଚିତ୍ରର ଗୀତ ‘ତାରିଫାନା..’ ଏବଂ ‘ଲେଟ୍ ମି ଲଭ୍ ୟୁ’ର ଗୀତ ‘ଡିଜେ ସ୍ନେକ୍’ ଗୀତର ମାସଅପ୍ କରି ସୋସିଆଲ୍ ମିଡିଆରେ ଅପଲୋଡ କରିବା ପରେ ବଲିଉଡ୍ କଳାକାରଙ୍କ ନଜରକୁ ଆସିଛନ୍ତି।

ଲିସା ଯେବେ ପ୍ରଥମ ଥର ‘ବୀରେ ଦି ୱେଡିଂ’ର ‘ତାରିଫାନା..’ ଗୀତଟିକୁ ଶୁଣିଲେ ତାଙ୍କୁ ଖୁବ୍ ପସନ୍ଦ ଆସିଲା। ସେ ଏହାକୁ ଗାଇ ସୁଟ୍ କରି ନିଜ ସୋସିଆଲ୍ ସାଇଟ୍ରେ ଅପଲୋଡ କଲେ। ପରେ ଜାଣିବାକୁ ପାଇଲେ ଯେ ବଲିଉଡ୍ ଅଭିନେତ୍ରୀ ତଥା ‘ବୀରେ ଦି ୱେଡିଂ’ ର ନାୟିକା ସୋନମ କପୁରଙ୍କୁ ଗୀତଟି ଖୁବ ଭଲ ଲାଗିଛି। ସୋନମ ଲିସାଙ୍କ ଗାଇବା ଶୈଳୀରେ ମୁଗ୍ଧ ହୋଇ ତାଙ୍କୁ ମୁମ୍ବାଇ ଡକାଇଲେ। ସେ ମୁମ୍ବାଇ ଆସିଲେ ଆଉ ଥରେ ସେ ଗୀତଟିକୁ ସୁଟ୍ କରିବାକୁ ଚାହାନ୍ତି ବୋଲି ଅଭିନେତ୍ରୀ ସୋନମ ନିଜ ଆଡୁ ତାଙ୍କୁ ପ୍ରସ୍ତାବ ଦେଲେ।

ଏ ସଂପର୍କରେ ଲିସା ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ମୁଁ ଅଫିସରୁ ଘରକୁ ଗାଡ଼ି ଚଳାଇ ଫେରୁଥାଏ। ହଠାତ ଦେଖିଲି ଯେ ମୋ ଭିଡିଓଟିକୁ ସୋନମ କପୁର ତାଙ୍କ ପେଜରେ ସେୟାର୍ କରିଛନ୍ତି। ସେଥିରେ ତାଙ୍କ ବାପା ଅନୀଲ କପୁର, ଭାଇ ହର୍ଷବର୍ଦ୍ଦନ କପୁର କମେଣ୍ଟ ଦେବା ସହ ଏକତା କପୁର୍ ଏହାକୁ ତାଙ୍କ ପେଜରେ ସେୟାର୍ କରିଛନ୍ତି। ସୋନମ ଏହାକୁ ସେୟାର୍ କରିବା ପର୍ୟ୍ୟନ୍ତ ମୋର କେହି ବି ବନ୍ଧୁ ଏ ସଂପର୍କରେ ଜାଣିନଥିଲେ। ମୋତେ ଏସବୁ ଚମତ୍କାର ପରି ଲାଗୁଥିଲା।’

ସୋନମଙ୍କ ଡାକରା ପାଇ ଲିସା ତୁରନ୍ତ ରବିବାର ରାତି ୩ଟାରେ ମୁମ୍ବାଇ ଆସୁଥିବା ବିମାନ ଧରିଲେ। ତା’ର ଠିକ୍ ୨୪ ଘଣ୍ଟା ପରେ ସେ ସୋନମଙ୍କ ସହ ଭେଟ କରିବାର ସୁଯୋଗ ପାଇଲେ। କେବଳ ସୋନମ ନୁହଁନ୍ତି ସେ ରେହା, କରୀନାଙ୍କ ସମେତ ଅନ୍ୟ ସମସ୍ତ ‘ବୀରେ ଦି ୱେଡିଂ’ ସଦସ୍ୟଙ୍କ ସହ ସାକ୍ଷାତ କଲେ।ଲିସା ଖୁସିରେ ଆତ୍ମହରା ହୋଇ କହିଛନ୍ତି, ‘ଚଳଚ୍ଚିତ୍ରକୁ ରିଲିଜ୍ ହେବାକୁ ଆହୁରି ସପ୍ତାହେ ବାକି ଅଛି। ଏପରି ସବୁ କିଛି ଅଚାନକ ହିଁ ଘଟିଗଲା। ମୋତେ ଏହି ନୂଆ ଭିଡିଓ ପାଇଁ ହଠାତ୍ ବଲିଉଡ୍ କଳାକାରଙ୍କ ପାଇଁ କାର୍ୟ୍ୟ କରୁଥିବା କେଶ ଓ ମୁହଁ ମେକ୍-ଅପ୍ ଆର୍ଟିଷ୍ଟ ମେକ୍ଅପ୍ ଦେଲେ।’ ଖୁବ୍ କମ୍ ଦିନ ମଧ୍ୟରେ ବି ଭିଡିଓଟି ଖୁବ୍ ସୁନ୍ଦର ହୋଇପାରିଛି ବୋଲି ସେ ଜଣାଇଛନ୍ତି।

ଲିସାଙ୍କ ୫ ଦିନିଆ ମୁମ୍ବାଇ ଗସ୍ତରୁ ସେ ଦୁଇ ଦିନ ରେକର୍ଡିଂରେ ବିତାଇଲେ। ଏହା ଖୁବ୍ ଆନନ୍ଦାଦୟକ ଥିଲା। ସୋନମ ଏବଂ ରେହା ତାଙ୍କୁ ପରିବାର ସଦସ୍ୟ ପରି ବ୍ୟବହାର କଲେ ବୋଲି ଲିସା ଜଣାଇଛନ୍ତି। ଲିସାଙ୍କ ହିସାବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିନେତ୍ରୀ କରୀନା କପୁର ହେଉଛନ୍ତି ପିଲାଦିନରୁ ତାଙ୍କ ପ୍ରିୟ ନାୟିକା। ସେ କହିଛନ୍ତି କି ଯେତେବେଳେ ସେ ତାଙ୍କୁ ସାମ୍ନାରେ ଦେଖିଲେ ପୂରାପୂରି ଭାବେ ଚୁପ୍ ହୋଇଯିବା ଛଡ଼ା ସେ ଆଉ କିଛି ବି କିରିପାରିଲେ ନାହିଁ। ଏ ସବୁ ଏବେ ତାଙ୍କୁ ସ୍ୱପ୍ନ ପରି ଲାଗୁଛି ବୋଲି ସେ ପ୍ରକାଶ କରିଛନ୍ତି।