ଦିଲ୍ଲୀରୁ ଆସିଲା ପୀଡିତାଙ୍କ ଭିଡିଓ ବାର୍ତ୍ତା ! ମୁକ୍ତି ପାଇଁ ନିବେଦନ କଲେ ସୁନ୍ଦରଗଡ଼ର ଆଦିବାସୀ ଯୁବତୀ

66

କନକ ବ୍ୟୁରୋ : ସୁନ୍ଦରଗଡରୁ ଦିଲ୍ଲୀକୁ ଚାଲାଣ ହେଉଛି ଯୁବତୀ । ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ଦଲାଲ ମାନେ ଦିଲ୍ଲୀରେ ବିକ୍ରି କରି ଦେଉଛନ୍ତି । ଆଉ ସେଠାରେ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି । ଏହିଭଳି ନିର୍ଯାତନା ଶିକାର ହୋଇଥିବା ସୁନ୍ଦରଗଡ ଲେଫ୍ରିପଡା ଅଂଚଳର ଜଣେ ଯୁବତୀ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି ।

ଦିଲ୍ଲୀରୁ ନିଜ ଦୁଃଖ କାହାଣୀର ଭିଡିଓ ବାର୍ତ୍ତା ପଠାଇଛନ୍ତି ସୁନ୍ଦରଗଡ଼ର ଜଣେ ଆଦିବାସୀ ଯୁବତୀ । କିପରି ତାଙ୍କୁ ୪୦ ହଜାର ଟଙ୍କାରେ ବିକ୍ରି କରିଯାଇଛି ଏବଂ ଘରକୁ ଆସିବାକୁ ଚାହୁଁଥିଲେ ବି ତାଙ୍କୁ ଜବରଦସ୍ତ ରଖାଯାଇ ନିର୍ଯାତନା ଦିଆଯାଉଛି, ଏହି ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି ପୀଡିତା । କନକ ନ୍ୟୁଜରୁ ଏହି ଖବର ପାଇବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ କରାଯାଇଥିବା କହିଛନ୍ତି ସୁନ୍ଦରଗଡ଼ ଏସପି ।

ଅଭିଯୋଗ ଅନୁଯାୟୀ, କାମ କରାଇଦେବାକୁ କହି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଅଂଚଳର ଜଣେ ଆଦିବାସୀ ଯୁବତୀଙ୍କୁ ନେଇଯାଇଥିଲା ଦଲାଲ । ଦିଲ୍ଲୀରେ ଜଣଙ୍କ ଘରେ କାମ କରିବାକୁ ୪୦ ହଜାର ଟଙ୍କାରେ ତାଙ୍କୁ ବିକ୍ରି କରି ଦିଆଯାଇଥିଲା । ଯେଉଁଠି ଏବେ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି ଯୁବତୀ ଜଣକ । ଦିଲ୍ଲୀର ସଙ୍ଗମ ବିହାରରେ କାମ କରୁଥିବା ଏହି ଆଦିବାସୀ ଝିଅକୁ ଘରକୁ ଛାଡୁନାହାନ୍ତି ଘର ମାଲିକ । ଯୁବତୀଙ୍କୁ ନିଜ ଘର ସହ କୌଣସି ଯୋଗାଯୋଗ କରିବାକୁ ଦିଆଯାଉନଥିବା ବେଳେ କୌଣସିମତେ ଏକ ଭିଡିଓ ପଠାଇ ମୁକ୍ତି ପାଇଁ ଅପିଲ କରିଛନ୍ତି ।

କେବଳ ଏହି ଗୋଟିଏ ଘଟଣା ନୁହେଁ ସୁନ୍ଦରଗଡ ବିରବିରା ଅଂଚଳର ଆଉ କିଛି ଝିଅ ମଧ୍ୟ ଦିଲ୍ଲୀ ସଙ୍ଗମ ବିହାରରେ ଫସିରହିଥିବା ଜଣାପଡିଛି । ସୁନ୍ଦରଗଡରୁ ପ୍ରାୟ ୪୩ ହଜାର ଯୁବତୀ ଏଭଳି ଭାବେ ରାଜ୍ୟ ବାହାରକୁ ଚାଲାଣ ହୋଇଥିବା ଅନୁମାନ କରାଯାଉଛି ।