ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ । ନବୀନଙ୍କ ଅତିଥିଙ୍କୁ ପରଷା ଯିବ ଓଡ଼ିଆ ଖାଦ୍ୟ, ଦେଶୀ ବେସର ମାଛ ସାଙ୍ଗକୁ ମେନ୍ୟୁରେ ରହିଛି ରସମଲେଇ, ଛେନାପୋଡ ।

1,120

କନକ ବ୍ୟୁରୋ : ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ଶେଷ ହେବା ପରେ ଆଜି ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିବେ ଅମିତ-ମମତା-ନବୀନ-ନୀତିଶ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ମଧ୍ୟାହ୍ନ ଭୋଜନରେ ସମସ୍ତ ଅତିଥିଙ୍କୁ ପରଷା ଯିବ ଓଡ଼ିଆ ଖାଦ୍ୟ । ମେନ୍ୟୁରେ ଭାତ, ଡାଲି, ଆଳୁ-ମଟର ତରକାରୀ, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ଖାଇବେ ନବୀନଙ୍କ ଅତିଥି । ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ବି ଏହି ମଧାହ୍ନ ଭୋଜନରେ ପରଷା ଯିବ ।

ତେବେ ମଧ୍ୟାହ୍ନ ଭୋଜନ ସମୟରେ କଣ ମାହୋଲ ରହିବ ତାହାକୁ ନେଇ ଚର୍ଚ୍ଚା ହେଉଛି । ବର୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଭିତରେ ଯେତେବେଳେ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି , ସେତେବେଳେ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲରେ ଶାହା, ମମତା ଓ ନୀତିଶଙ୍କୁ ବସାଇବାରେ ସଫଳ ହେବାକୁ ଯାଉଛନ୍ତି । ଯାହାକି ଜାତୀୟ ରାଜନୀତିକୁ ବଡ ବାର୍ତା ଦେବାକୁ ଯାଉଛି ।

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅମିତ ଶାହ ଭୁବନେଶ୍ୱରରେ ସିଏଏ ସମର୍ଥନ ସମାବେଶରେ ସାମିଲ ହେବେ । ଜନତା ମଇଦାନରେ ଏହି ସମାବେଶ ହେବ । ଏଥିରେ ରାଜ୍ୟ ନେତୃବୃନ୍ଦ ବି ସାମିଲ ହେବେ । ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ହିଂସା ଓ ଦେଶବ୍ୟାପୀ ଅସନ୍ତୋଷ ପରିପ୍ରେକ୍ଷୀରେ ସମାବେଶରେ ଅମିତ ଶାହ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ସମାବେଶରେ ସାମିଲ ପାଇଁ ବିଭିନ୍ନ ସ୍ଥାନରୁ ବିଜେପି ସମର୍ଥକମାନେ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ।