ଅଧାରେ ରହିଗଲା ସ୍ୱପ୍ନ ! କୁଏତରୁ ଫେରିଲା ଓଡିଆ ଦାଦନ ପପିନାଙ୍କ ମୃତଦେହ, ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ ।

286

କନକ ବ୍ୟୁରୋ : କୁଏତରେ ଓଡିଆ ଯୁବକଙ୍କ ମୃତ୍ୟୁ । ଗତ ଦୁଇ ମାସ ତଳେ  ଦାଦନ ଖଟିବାକୁ କୁଏତ ଯାଇଥିଲେ ପପିନା ଲେଙ୍କା । କିନ୍ତୁ ଜାନୁଆରୀ ୧୧ରୁ ନିଖୋଜ ଥିବା ପପିନାଙ୍କ ମୃତଦେହ ଏବେ ଗାଁରେ ପହଚିଂଛି । ପୁଅର ମୃତଦେହ ଦେଖିବା ପରେ ପରିବାର ଲୋକଙ୍କ ଆଖିରୁ ଆଉ ଲୁହ ଶୁଖୁନି । ପପିନାଙ୍କ ମୃତ୍ୟୁରେ କାନ୍ଦୁଛି ନିଆଳିର ପୋଦନା ଗାଁ ।

କୁଏତରେ ଓଡିଆ ଦାଦନ ମୃତ । ପପିନାଙ୍କୁ ଝୁରୁଛି ପୋଦନା ଗାଁ । ଅଧାରେ ରହିଗଲା ସ୍ୱପ୍ନ । କୁଏତ ଯାଇ ଟଙ୍କା ପଠାଇଲେ ଘର କାମ ଆରମ୍ଭ କରିବା ବୋଲି କହିକି ଯାଇଥିଲେ, ନିଆଳୀ ପୋଦନା ଗାଁର ପପିନା ଲେଙ୍କା । କିନ୍ତୁ କୁଏତ ଯିବାର ୨ ମାସ ପରେ ଘରକୁ ଫେରିଲା ପୁଅର ମୃତଦେହ । ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ଘର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ସ୍ତବ୍ଧ ହୋଇଯାଇଛି ପୁରା ଗାଁ ।

ଡିସେମ୍ବର ୧୩ରେ ପପିନା କାମ କରିବାକୁ  କୁଏତ ଯାଇଥିଲେ । ସେଠାରେ ପହଚିଂବା ପରେ ଘର ସହ ନିୟମିତ ଫୋନରେ କଥା ହେଉଥିଲେ । କିନ୍ତୁ ଜାନୁଆରୀ ୧୧ ପରେ ପୁଅ ସହ କୌଣସି ସଂପର୍କ ହୋଇପାରିନଥିଲା । ଏନେଇ ତାଙ୍କ ବାପା କଟକ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ଶ୍ରମ ବିଭାଗକୁ ପୁଅର ନିଖୋଜ ନେଇ ପତ୍ର ମଧ୍ୟ ଲେଖିଥିଲେ । କିନ୍ତୁ ଏବେ ପୁଅର ମୃତଦେହ ଆସି ଘରେ ପହିଚିଂବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ପପିନା ଆତ୍ମହତ୍ୟା କରିଥିବା କୁଏତ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ତାଙ୍କ ପରିବାର ବର୍ଗଙ୍କୁ ଜାନୁଆରୀ ୧୨ ତାରିଖରେ ଖବର ଦିଆଯାଇଥିଲା । କୁଏତରେ ଦାଦନ ଖଟିବାକୁ ଯାଇଥିବା ପପିନାଙ୍କ ମୃତ୍ୟୁ କେମିତି ହେଲା । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ଏଭଳି ଅନେକ ପ୍ରଶ୍ନ ପରିବାର ଲୋକଙ୍କ ମନକୁ ଏବେ ବିବ୍ରତ କରିଥିବା ବେଳେ ପୁଅକୁ ହରାଇ ଭାଙ୍ଗିପଡିଛି ପୁରା ପରିବାର  ।