ଭାଷାକୁ ନେଇ ବଡ ନିଷ୍ପତି ନେଲା ରାଜ୍ୟ କ୍ୟାବିନେଟ୍ ! ଏଣିକି ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ

29

କନକ ବ୍ୟୁରୋ: ଭାଷାକୁ ନେଇ ବଡ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ୍ । ଏଣିକି ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହେବ । ପ୍ରତି ଦୋକାନି ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡିଆରେ ନାମଫଳକ ଲେଖିବେ । ପରିବର୍ତନ ପାଇଁ ଗୋଟିଏ ମାସର ଡେଡଲାଇନ୍ ଦେଇଛନ୍ତି ସରକାର । ନିର୍ଦ୍ଧାରିତ ସମୟ ଭିତରେ ପରିବର୍ତନ ନକଲେ ଦେବାକୁ ପଡିବ ଜରିମାନା । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି ।

ବିଧାନସଭାରେ ଏହା ଗୃହିତ ହେଲେ କଡାକଡି ଭାବରେ ଏହି ନିୟମ କାର୍ଯ୍ୟକାରୀ ହେବ । ଓଡିଆରେ ନାମଫଳକ ନଲେଖିଲେ ଏହାକୁ ଅପରାଧ ଭାବରେ ନିଆଯିବ । ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଓଡିଆରେ ସ୍ପଷ୍ଟ ଭାବେ ନାମଫଳକ ଲେଖି ନଥିବେ ପ୍ରଥମେ ଧରାପଡିବେ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତି ଜରିମାନା ଆଦାୟ ହେବ । ତେବେ ଦ୍ୱିତୀୟ ଥର ଯଦି ଏଭଳି କରିବେ ତେବେ ୫ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ କରାଯାଇଛି ।

ସେହିପରି କୌଣସି ସରକାରୀ କର୍ମଚାରୀ ଯଦି ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାର କରୁନଥିବା ଦୃଷ୍ଟିକୁ ଆସିବ ସେମାନଙ୍କ ପାଇଁ ମଧ୍ୟ ଦଣ୍ଡବିଧାନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ତେବେ ସରକାରୀ କାର୍ଯ୍ୟରେ ସଠିକ ଭାବେ ଓଡିଆ ଭାଷା ପ୍ରୟୋଗ କରିଥିବା ଅଧିକାରୀମାନଙ୍କୁ ପୁରସ୍କାର କରିବା ପାଇଁ ସ୍ଥିର କରାଯାଇଛି ।