ଫ୍ରାନ୍ସରେ ଓଡିଆ ଯୁବକଙ୍କ କୃତିତ୍ୱ ! ନିର୍ମାଣ କଲେ ରେସିଂ କାରର ଅନୁଭୂତି ଦେଉଥିବା ସିମୁଲେଟର ମେସିନ୍

32

କନକ ବ୍ୟୁରୋ : ଫ୍ରାନ୍ସରେ ଓଡିଆ ଯୁବକଙ୍କ କୃତିତ୍ୱ । ନିର୍ମାଣ କରିଛନ୍ତି ଏପରି ଏକ ସିମୁଲେଟର ମେସିନ୍ ଯାହା ଆପଣଙ୍କୁ ରେସିଂ କାରର ଅନୁଭୂତି ଦେବ । ଏହାକୁ ଯେକୌଣସି କାରରେ ଲଗାଇଲେ ବିନା ପ୍ରଶିକ୍ଷକରେ ଶିଖି ହେବ ଫର୍ମୁଲା କାର ରେସିଂ ।

ସିଦ୍ଧାନ୍ତଙ୍କ ପାଇଁ ସିମୁଲେଟର ନିର୍ମାଣ କରିବା ଏତେ ସହଜ ନଥିଲା । ଫ୍ରାନ୍ସର ଲେମାନସ ସହରର ଏକ ଜଙ୍କ ୟାର୍ଡରେ ଗୋଟି ଗୋଟି କାର ସାମଗ୍ରୀ ଯୋଗାଡ କଲେ ସିଦ୍ଧାନ୍ତ । ପାଖାପାଖି ୫ ମାସ ଲାଗିଲା ଏହି ମେସିନ ନିର୍ମାଣ କରିବାକୁ । ଏହି ମେସିନକୁ କାରରେ ଲଗା ଯିବା ପରେ ଆପଣ ଆପେ ଆପେ ରେସିଂ ଟ୍ରାକରେ ପହଂଚି ଯିବେ । କାରରେ ଥିବା ଏଲସିଡି ଟିଭିରେ ଆପଣଙ୍କୁ ବରଫରୁ ଆରମ୍ଭ କରି ପାହାଡିଆ ରାସ୍ତା ଦେଖାଯିବ । ଯାହାକୁ ସିଟିରେ ବସି ନିୟନ୍ତ୍ରଣ କରି ରେସିଂ ଶିଖି ହେବ ।

କେବଳ ଦ୍ୱାଦଶ ଶ୍ରେଣୀର ଶିକ୍ଷାଗତ ଯୋଗ୍ୟତା । ହେଲେ ମନରେ ଫର୍ମୁଲା ଟ୍ରାକରେ ରେସିଂର ଆକାଂକ୍ଷା । ଏପରି କରିବାକୁ କେବେ ଦିଲ୍ଲୀର ଗ୍ୟାରେଜରେ ମେକାନିକ ତ ଫ୍ରାନ୍ସରେ ରେସିଂ ଟ୍ରେନର, ଏହି ସବୁ କଷ୍ଟସାଧ୍ୟ ରାସ୍ତା ଦେଇ ଗତି କରିଛନ୍ତି ସିଦ୍ଧାନ୍ତ । ଯେଉଁଥି ପାଇଁ ଏବେ ବିଶ୍ୱର ବଡ ବଡ କାର କଂପାନୀ ତାଙ୍କ ସିମୁଲେଟର କିଣିବାକୁ ଆଗ୍ରହୀ । ହେଲେ ସିଦ୍ଧାନ୍ତ ଏହାକୁ ଦୈନିକ ଏକ ଲକ୍ଷ ଭାରତୀୟ ମୁଦ୍ରାରେ ଭଡା ଆକାରରେ ଦେଉଛନ୍ତି ।