କୁନି ବୈଜ୍ଞାନିକ ଅନୁରାଗଙ୍କ ‘ବିକଳ୍ପ ପୃଥିବୀ’ ! ସଫଳତାର ଯାତ୍ରା, ଉମରକୋଟରୁ ଆମେରିକା

43

କନକ ବ୍ୟୁରୋ : ନବରଙ୍ଗପୁର ଉମରକୋଟର ଅନୁରାଗ ମିଶ୍ର ଆମେରିକାର କାର୍ଲିଫର୍ଣ୍ଣିଆରେ ହେବାକୁ ଥିବା ଅନ୍ତର୍ଜାତୀୟ ମହାକାଶ ବିକାଶ ସମ୍ମିଳନୀରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି । ଅନୁରାଗ ବିଶାଖାପାଟଣାରେ ବର୍ତମାନ ଦଶମ ଶ୍ରେଣୀରେ ପଢୁଛନ୍ତି । ଗତବର୍ଷ ଅନ୍ତର୍ଜାତୀୟ ମହାକାଶ ବିକାଶ ସମ୍ମିଳନୀରେ ଯୋଗଦେବା ପାଇଁ ଜାତୀୟ ମହାକାଶ ସୋସାଇଟି ପକ୍ଷରୁ ସାରା ଦେଶରେ ଫର୍ମାଲ ସାଇଂଟିଫିକ ପୋଷ୍ଟର ଉପରେ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା । ଏଥିରେ ଅନୁରାଗଙ୍କ ସହ ୬ ଜଣ ଛାତ୍ରଛାତ୍ରୀ ବିକଳ୍ପ ପୃଥିବୀ ସମ୍ପର୍କିତ ପ୍ରକଳ୍ପ ସୋସାଇଟିରେ ଦାଖଲ କରାଯାଇଥିଲା । ଏହି ଦଳର ନେତୃତ୍ୱ ନେଇଥିଲେ ଅନୁରାଗ ।

ନାସାକୁ ଏହି ପ୍ରକଳ୍ପ ଯିବା ପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି ଅନୁରାଗ । ଆସନ୍ତା ମେ ମାସ ୨୪ରୁ ୨୭ ତାରିଖ ଯାଏଁ ଏହି ସମ୍ମିଳନୀ ହେବ ଓ ଏଥିରେ ପୁରସ୍କୁୃତ ହେବେ ଅନୁରାଗ ।ଛୋଟବେଳୁ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା ଅନୁରାଗ ଅବଦୁଲ କଲାମଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଆଗକୁ ବଢିଥିଲେ । ଆଉ ଖୁବ୍ କମ ବୟସରେ ଏହି ସଫଳତା ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଅନୁରାଗ ।