ଶ୍ରୀଲଙ୍କାରୁ ଫେରିଲେ ୪ ଦାଦନ ଶ୍ରମିକ : ଭାରତୀୟ ଦୂତାବାସ ସହାୟତାରେ ଫେରିଲେ ଓଡିଶା । ଅକଥନୀୟ ନିର୍ଯାତନା କାହାଣୀ ଭିଡିଓ କରି ପଠାଇବା ପରେ ମୁକ୍ତି ପାଇଁ କରିଥିଲେ ନିବେଦନ

367

ଶ୍ରୀଲଙ୍କାରୁ ଫେରିଲେ, ଓଡିଶା ଆସିଲେ । ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଓଡିଆ ଦାଦନ ଶ୍ରମିକଙ୍କ ମଧ୍ୟରୁ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ୪ ଜଣ । ଏହି ୪ ଜଣ ଶ୍ରମିକ ହେଉଛନ୍ତି ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ୱରରୁ କିସନ ତରାଇ । ବିମାନବନ୍ଦରରେ ଓହ୍ଲାଇବା ପରେ ନିଜକୁ ଆଶ୍ୱସ୍ତ ମନେ କରିଛନ୍ତି ସମସ୍ତେ । ଗଣମାଧ୍ୟମରେ ଶ୍ରୀଲଙ୍କାରେ ଫସିଥିବା ଦାଦନ ଶ୍ରମିକଙ୍କ ନିର୍ଯାତନାର ଖବର ପ୍ରସାରଣ ପରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ଏହି ନିର୍ଯାତିତ ଶ୍ରମିକମାନଙ୍କ ସହିତ ସଂପର୍କ କରିଥିଲା । ପ୍ରଥମ ଦଫାରେ ୪ ଜଣ ଶ୍ରମିକ ଓଡିଶା ଫେରିଛନ୍ତି ।

ଶ୍ରୀଲଙ୍କାରେ ଥିବା ବାକି ୭ ଜଣ ଓଡିଆ ଶ୍ରମିକଙ୍କ ଫେରିବା ନେଇ ଭାରତୀୟ ଦୂତାବାସ ବ୍ୟବସ୍ଥା କରୁଛି । ବିମାନ ଯୋଗେ ଏମାନଙ୍କର ଓଡିଶା ଫେରିବା ନେଇ ବ୍ୟବସ୍ଥା କରିଛି ଭାରତୀୟ ଦୂତାବାସ । ଦଲାଲ ଜରିଆରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇ ସେଠାରେ ଫସଥିଲେ ଏହି ୧୧ ଓଡିଆ ଶ୍ରମିକ । ଫସିଥିବା ସମସ୍ତ ଓଡିଆ ଲୋକଙ୍କ ଘର ବାଣପୁର ଓ ବାଲୁଗାଁ ଅଂଚଳର । ଶ୍ରୀଲଙ୍କାରେ ସେମାନଙ୍କୁ ୧୫ ଘଂଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯିବା ସହିତ ଭଲ ଖାଇବାକୁ ଦିଆଯାଉନଥିବା ସେମାନେ ଭିଡିଓ ଜରିଆରେ ଅଭିଯୋଗ କରି ସେମାନଙ୍କର ଫେରିବା ନେଇ ସହାୟତା କରିବାକୁ ନିବେଦନ କରିଥିଲେ । ଓଡିଶାର ଜଣେ ଦଲାଲ ଏହି ଲୋକଙ୍କୁ  ନେଇ ସେଠାରେ ଜଣେ ଠିକାଦାରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।