ସିଙ୍ଗାପୁରରେ ଓଡିଆ ଭକ୍ତି ସଙ୍ଗୀତର ଧୁମ୍ ! ଅରବିନ୍ଦ ମୁଦୁଲିଙ୍କ ଜଗନ୍ନାଥ ଜଣାଣରେ ଝୁମିଲେ ଦର୍ଶକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଲେ ସୌମ୍ୟରଂଜନ ପଟ୍ଟନାୟକ 

68

କନକ ବ୍ୟୁରୋ : ସୁଦୂର ସିଙ୍ଗାପୁରରେ ଓଡିଆ କାର୍ଯ୍ୟକ୍ରମ । ଓଡିଆ ଭକ୍ତି ସଙ୍ଗୀତ କଳା ଓ ସଂସ୍କୃତିର ପ୍ରଚାର ପାଇଁ ସିଙ୍ଗାପୁରରେ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ ସ୍ପନ୍ଦନ । ଯାହାର ଶୀର୍ଷକ ହେଉଛି ଓଡିଆ ସଂସ୍କୃତିରୁ ଆଉ ପଦେ । କାର୍ଯ୍ୟକ୍ରମର ଆରମ୍ଭରେ ଆନ୍ତର୍ଜାତିକ ଶ୍ରୀକୃଷ୍ଣ ମନ୍ଦିର ଅନୁଷ୍ଠାନ ପକ୍ଷରୁ ପରିବେଷଣ ହୋଇଥିଲା ଶ୍ରୀଜଗନ୍ନାଥଙ୍କ କୀର୍ତ୍ତନ । ଏହି ସମାରୋହରେ ଓଡିଶାର ବିଶିଷ୍ଟ ସଙ୍ଗୀତଜ୍ଞ ଅରବିନ୍ଦ ମୁଦୁଲି ଭଜନ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ସିଙ୍ଗାପୁରରେ ରୁଦ୍ଧିମନ୍ତ ଓଡିଆ ସାହିତ୍ୟ, ଓଡିଆ ମାଟିର ଗରିମା ବଖାଣିଥିଲେ ସୌମ୍ୟରଞ୍ଜନ । ଏହି କାର୍ଯ୍ୟକ୍ରମରେ ସିଙ୍ଗାପୁର ଓଡିଆ ସମାଜର ମୋବାଇଲ ଆପ୍ଲିକେସନ୍ ମଧ୍ୟ ଉଦଘାଟନ ହୋଇଥିଲା । ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆମାନେ ବହୁ ସଂଖ୍ୟାରେ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ । ଓଡିଶାର ସଂସ୍କୃତି ଓ ପରମ୍ପରା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।