ଆଲବମ୍ କୁଇନ୍ ଶ୍ୱେତା ମଲ୍ଲିକ ବନିଲେ ମାତା ମାହେଶ୍ୱରୀ ! ସଂସାରର ମୋହ, ମାୟା ଛାଡି ଲୋକଙ୍କୁ ଦେଉଛନ୍ତି ମୋକ୍ଷପ୍ରାପ୍ତିର ମାର୍ଗ ।

343

କନକ ବ୍ୟୁରୋ : ଆଲବମ୍ ଅଭିନେତ୍ରୀରୁ ସନ୍ୟାସୀ । ରଙ୍ଗୀନ ପରଦା ଛାଡି ଲୋକଙ୍କ ମଧ୍ୟରେ ଧାର୍ମିକ ଚେତନା ଜାଗ୍ରତ କରୁଛନ୍ତି ବିଗତ ଦିନର ଅଭିନେତ୍ରୀ ଶ୍ୱେତା ମଲ୍ଲିକ । ସେ ଏବେ ମାତା ମହେଶ୍ୱରୀ । ଜୟପୁରରେ ଆୟୋଜିତ କଳକୀ ଯଜ୍ଞରେ ଦେଖିବାକୁ ମିଳିଛି ମାତା ମହେଶ୍ୱରୀଙ୍କ ବିଶ୍ୱରୂପ ।

ରୁପେଲି ପରଦାରୁ ସନ୍ୟାସିନୀ । ଶ୍ୱେତା ମଲ୍ଲିକ ବନିଲେ ମାତା ମହେଶ୍ୱରୀ । ଓଡିଆ ଆଲବମ ଜଗତର ସେ ଥିଲେ କୁଇନ୍ । ଦର୍ଶକଙ୍କ ହୃଦୟର ଡ୍ରିମଗାର୍ଲ । ଓଡିଆ ଆଲବମରେ ତାଙ୍କ ଅଭିନୟ ପାଗଳ କରିଥିଲା ଦର୍ଶକଙ୍କୁ । ଏକାଧିକ ହିଟ୍ ଆଲବମର ସେ ଥିଲେ ସୁପରହିଟ୍ ଅଭିନେତ୍ରୀ । କିଛି ଫିଲ୍ମରେ ବି ତାଙ୍କୁ ଦେଖିବାକୁ ମିଳିଥିଲା । ସେଦିନର ଆଲବମ୍ କୁଇନ୍ ଏବେ ସନ୍ୟାସୀନି । ଶ୍ୱେତା ମଲ୍ଲିକ ବନିଯାଇଛନ୍ତି ମାତା ମହେଶ୍ୱରୀ । ସଂସାରର ମୋହ, ମାୟା ଛାଡି ଲୋକଙ୍କୁ ମାତା ଦେଉଛନ୍ତି ମୋକ୍ଷପ୍ରାପ୍ତିର ମାର୍ଗ ।

ମାତାଙ୍କ କହିବା କଥା, ୧୮ ବର୍ଷ ତଳେ ଆଲବମ୍ ଜଗତରେ ରାଜ୍ କରୁଥିବା ବେଳେ ହଠାତ୍ ତାଙ୍କ ମଧ୍ୟରେ ପରିବର୍ତନ ଆସିଲା । ସ୍ୱପ୍ନାଦେଶ ହେଲା, ସେ ହେଉଛନ୍ତି ସାରା ସଂସାରର ମାଆ । ବାସ୍, ସେଦିନଠାରୁ ଘରଦ୍ୱାର ଛାଡି ଲୋକଙ୍କ ମଧ୍ୟରେ ଧାର୍ମିକ ଚେତନା ଜାଗ୍ରତ କରିବାକୁ ନିଷ୍ପତି ନେଇଥିଲେ ।

ସେହିପରି ଜୟପୁରର କଳକୀ ଯଜ୍ଞରେ ଆର୍ବିଭାବ ହୋଇଥିବା ବାବା ଅନନ୍ତ କେଶରୀ ସମ୍ରାଟ ବି ଜଣେ ପରିଚିତ ବ୍ୟକ୍ତି । ରାଜ୍ୟର ଘରେ ଘରେ ପରିଚିତ ସମ୍ରାଟ କ୍ୟାସେଟ କମ୍ପାନୀ ମାଲିକ ବିଶ୍ୱମ୍ବର ସାବତ । ହେଲେ ଏବେ ସେ ଅନନ୍ତ କେଶରୀ ସମ୍ରାଟ ବିଶ୍ୱମ୍ବର । ବାବାଙ୍କୁ ଶୂନ୍ୟବାଣୀ ହେଲା, ୧୦୮ ଯଜ୍ଞ କଲେ ଲୋକଙ୍କ ମଧ୍ୟରେ ଦୈବୀ ଚେତନା ଜାଗ୍ରତ ହେବ । ସେବେଠାରୁ ବୁଲି ବୁଲି ଯଜ୍ଞ କରୁଛନ୍ତି ବାବା-ମାତା । ବାବାଙ୍କୁ ନେଇ ବିବାଦ ଭିତରେ ନିଜକୁ ସନ୍ୟାସୀ ବୋଲାଉଥିବା ମାତା ମହେଶ୍ୱରୀଙ୍କ ବିଶ୍ୱରୂପ ନେଇ ଚର୍ଚ୍ଚା ଜୋର ଧରିଛି ।