ବଲିଉଡରେ ମି-ଠୁ ଅଭିଯୋଗ ଆଣିଲେ ଓଡିଆ ଅଭିନେତ୍ରୀ ! ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ଡଲି ଜେନା ବଖାଣିଲେ ସଂଘର୍ଷ ସମୟର ଅସ୍ୱସ୍ତିକର ଅନୁଭୂତି ।

43

କନକ ବ୍ୟୁରୋ : ବଲିଉଡକୁ ଗ୍ରାସ କରିଛି ମି-ଠୁ ବିବାଦ । ଦିନକୁ ଦିନ ଆସୁଛି ନୂଆ ନୂଆ ଅଭିଯୋଗ । ଏହି କ୍ରମରେ ଆଜି ମି-ଠୁ ଅଭିଯୋଗ ଆଣିଛନ୍ତି ଓଡିଆ ଅଭିନେତ୍ରୀ ଡଲି ଜେନା । ବଲିଉଡରେ କାମ କରିବା ସମୟରେ କିପରି ନିର୍ଦ୍ଦେଶକମାନଙ୍କ ଦ୍ୱାରା ନିରାଶ ହୋଇଥିଲେ ଏବଂ କମ୍ପ୍ରମାଇଜ କରିବାକୁ ପଛଘୁଂଚା ଦେଇଥିଲେ ସେ କଥା କନକ ନ୍ୟୁଜକୁ ବଖାଣିଛନ୍ତି ଡଲି । ସେ ଆହୁରି ମଧ୍ୟ କହିଛନ୍ତି ପଛଘୁଂଚା ଦେବା କାରଣରୁ ହାତରୁ ବହୁତ ଭଲ ଭଲ ଫିଲ୍ମ ଚାଲିଯାଇଥିଲା ।

ବଲିଉଡରେ ଡଲି ଜେନାଙ୍କ ତିକ୍ତ ଅନୁଭୂତି । ନିର୍ଦ୍ଦେଶକଙ୍କ ବିରୋଧରେ ଆଣିଲେ ମି-ଠୁ ଅଭିଯୋଗ । ଫିଲ୍ମ ପାଇଁ କମ୍ପ୍ରମାଇଜ କରିବାକୁ ମନା କରିଥିଲେ । ବଲିଉଡର ନାମି ଦାମି ନିର୍ଦ୍ଦେଶକଙ୍କ ବିରୋଧରେ ଓଡିଆ ଅଭିନେତ୍ରୀଙ୍କ ମି-ଠୁ ଅଭିଯୋଗ । ଜାତୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ବିଜୟ ଜେନା ଓରଫ ଡଲି ଜେନା କହିଛନ୍ତି କେମିତି ଥିଲା ତାଙ୍କ ବଲିଉଡ ଅଭିଜ୍ଞତା । ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଇଥିବା ଡଲିଙ୍କୁ ବଲିଉଡର ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ କହିଥିଲେ କମ୍ପ୍ରମାଇଜ କରିବାକୁ । ଆସନ୍ତୁ ନଜର ପକାଇବା ଡଲି ଜେନା ଆଣିଥିବା ୫ଟି ଅଭିଯୋଗ ଉପରେ ।

ଅଭିଯୋଗ-୧, ୧୯୮୬ ମସିହାରେ ରିଲିଜ ହୋଇଥିଲା ସନି ଦେଓଲଙ୍କ ଫିଲ୍ମ ସମୁନ୍ଦର । ଏହି ଫିଲ୍ମରେ ଡଲିଙ୍କୁ ସୁଯୋଗ ମିଳିବା ଚୂଡାନ୍ତ ହୋଇଥିଲା । କିନ୍ତୁ ଶେଷରେ ଏଥିରୁ ବାଦ ଦିଆଯାଇଥିଲା । କମ୍ପ୍ରମାଇଜ କରିବାକୁ ରାଜି ନହେବାରୁ ଫିଲ୍ମର ନିର୍ଦ୍ଦେଶକ ରାହୁଲ ରୱେଲ ଏହି ରୋଲ ରୋଶନିଙ୍କୁ ଦେଇଥିଲେ ।

ଅଭିଯୋଗ-୨, ୧୯୬୦-୭୦ ଦଶକର ପ୍ରମୁଖ ଫିଲ୍ମ ନିର୍ଦ୍ଦେଶକ ଦୁଲାଲ ଗୁହା ତାଙ୍କୁ ଗୋଟିଏ ଫିଲ୍ମରେ ସୁଯୋଗ ଦେବାକୁ କହିଥିଲେ । ଏଥିପାଇଁ ଏକାନ୍ତରେ ଭେଟିବାକୁ କହିଥିଲେ । କିନ୍ତୁ ସଂଧ୍ୟା ପରେ କାହାରିକୁ ଏକୁଟିଆ ଭେଟନ୍ତି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ଡଲିା

ଅଭିଯୋଗ-୩, ପ୍ରତିଷ୍ଠିତ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କୁ ଡଲିଙ୍କ ନାଁ ପ୍ରସ୍ତାବ ଦେଇଥିଲେ ଧର୍ମେନ୍ଦ୍ର । ଡଲିଙ୍କ ପୂର୍ବ କାମକୁ ଅନିଲ ପ୍ରଶଂସା କରିଥିଲେ ଆଉ କାମ ଦେବେ ବୋଲି କହିଥିଲେ । କିନ୍ତୁ ପର ମୁହୁର୍ତରେ ସେ ତାଙ୍କ ଗାର୍ଲଫ୍ରେଣ୍ଡକୁ ଏହି ଅଫର ଦେଇଥିଲେ ।

ଅଭିଯୋଗ-୪, ଡ୍ରିମ ଗାର୍ଲ ହେମା ମାଳିନୀ ପ୍ରତିଷ୍ଠିତ ନିର୍ଦ୍ଦେଶକ ଟି ରାମାରାଓଙ୍କୁ ଭେଟିବାପାଇଁ କହିଥିଲେ । କିନ୍ତୁ ଟି ରାମା ରାଓଙ୍କ ସହ ଆଲୋଚନା ସମୟରେ ଅଶ୍ୱସ୍ତୀ ଅନୁଭବ କରିଥିଲେ ଡଲି । ଏ ସମ୍ପର୍କରେ ହେମା ମାଳିନୀଙ୍କୁ ଡଲି କହିବାରୁ ହେମା କହିଥିଲେ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ ।

ଅଭିଯୋଗ-୫, ବଲିଉଡର ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ସୁବାସ ଘାଇଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଡଲି । ଏକ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ସୁବାସ ଘାଇ ତାଙ୍କୁ କହିଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖାନ କରିଥିଲେ ଡଲି । ଆଉ ପରବର୍ତି ସମୟରେ ଏକ ପାର୍ଟିରେ ସୁବାସ ତାଙ୍କୁ ଚିହ୍ନିପାରିନଥିଲେ ବୋଲି କହିଛନ୍ତି ଡଲି ।

ମି-ଠୁ ଅଭିଯାନକୁ ସମର୍ଥନ ଜଣାଇ ଡଲି କହିଛନ୍ତି ଡନୁଶ୍ରୀ ଦତ ନାନାଙ୍କ ନାଁରେ ଅଭିଯୋଗ ଆଣିବା ପରେ ଏହି ଅଭିଯାନ ଜୋର ଧରିଛି । ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାମାନେ ଖୋଲାଖୋଲି ଅଭିଯୋଗ ଆଣିବା ସହିତ ସେହି ଲୋକମାନଙ୍କୁ ସାମନାକୁ ଆଣିବା ଦରକାର ।