ପୋଷ୍ଟର ବିବାଦ ପରେ କନକ ନ୍ୟୁଜରେ ସଫେଇ ରଖିଲେ ପପୁ: କହିଲେ, ପୋଷ୍ଟର ତିଆରିରେ ନାହିଁ ପ୍ରଯୋଜନା ସଂସ୍ଥାର ହାତ, ‘ମିଷ୍ଟର କହ୍ନେୟା’ ଏକ ପ୍ରେରଣାଦାୟୀ ଫିଲ୍ମ

793

କନକ ବ୍ୟୁରୋ: ପୋଷ୍ଟର ବିବାଦ ପରେ କନକ ନ୍ୟୁଜରେ ସଫେଇ ରଖିଲେ କମେଡି କିଙ୍ଗ ପପୁ ପମପମ । କହିଲେ, ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ । କହିଛନ୍ତି ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି । ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପପୁ ।

 

ଆଗାମୀ ଦିନରେ ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ମିଷ୍ଟର କହ୍ନେୟାଙ୍କ ପୋଷ୍ଟରକୁ ନେଇ ପୁଣି ବିବାଦରେ ଫସିଛନ୍ତି ପପୁ ପମପମ୍ । ଏହି ପୋଷ୍ଟରରେ ଏ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ପୋଷ୍ଟରରେ କିଛି ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି ପପୁ । ଯାହାକୁ ଦୂତି ଚାନ୍ଦଙ୍କ ଭଳି କିଛି ଖେଳାଳି ଓ ଅନ୍ୟ କିଛି ବ୍ୟକ୍ତିବିଶେଷ ଆପତି ଉଠାଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସ ନାରୀମାନଙ୍କୁ ଏ କି ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିବା ସହ ପପୁଙ୍କ ଏଭଳି ପୋଷ୍ଟରକୁ କଟାକ୍ଷ କରାଯାଇ ଟ୍ରୋଲ କରାଯାଇଛି ।

ତେବେ ଫେସବୁକରେ ଏହି ବିବାଦିତ ପୋଷ୍ଟରଟିକୁ ପୋଷ୍ଟକରି ପ୍ରଯୋଜନା ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା କି ଏହା ତାଙ୍କ ତରଫରୁ ନିର୍ମାଣ କରାଯାଇନାହିଁ । ପୁପୁଙ୍କ କୌଣସି ଫ୍ୟାନ କ୍ଲବ ପକ୍ଷରୁ ଏଭଳି ପୋଷ୍ଟ କରାଯାଇଥାଇପାରେ ।