ଫେରୁଛି ଅଡ୍-ଇଭେନ୍ ଫର୍ମୁଲା । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ନିଷ୍ପତ୍ତି । ଦିଲ୍ଲୀରେ ଗାଡି ଚଳାଚଳ ଉପରେ ଲାଗିବ କଟକଣା, ଛୋଟ ପିଲାଙ୍କ ସହ ଥିଲେ ମହିଳା ପାଇବେ ଛାଡ ।

140

କନକ ବ୍ୟୁରୋ : ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଆସନ୍ତା ନଭେମ୍ବର ୪ ତାରିଖରୁ ପୁଣି ଫେରିବ ଅଡ-ଇଭେନ୍ ଫର୍ମୁଲା । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଦିଲ୍ଲୀରେ ପୁଣି ଲାଗୁ ହେବ କଟକଣା । ଫେରିଲା ଅଡ୍-ଇଭେନ୍ ଫର୍ମୁଲା । ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତା ନଭେମ୍ବର ୪ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଏହି ନିୟମ ଲାଗୁ ହେବ । ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ ଏହି କଟକଣା । ଏନେଇ ସାମ୍ବାଦିକ ସମ୍ମିଳନୀରରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀରେ ଏବେ ପ୍ରଦୂଷଣ ନିୟନ୍ତ୍ରଣରେ ଥିବା କଥା କହିବା ସହ ଏବେ ୨୫ ପ୍ରତିଶତ ପ୍ରଦୂଷଣ କମିଥିବା କହିଛନ୍ତି କେଜରିୱାଲ । ପ୍ରଦୂଷଣ ଏକ ଜଟିଳ ସମସ୍ୟା ଏବଂ ଏହାର ନିୟନ୍ତ୍ରଣ ପାଇଁ ଦିଲ୍ଳୀବାସୀ ଏବଂ ସରକାରଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏହି କଟକଣାରୁ କେତେକ କ୍ଷେତ୍ରରେ ବାଦ୍ ଦେବା ପାଇଁ ନିଷ୍ପତି ନିଆଯାଇଛି । ମହିଳାଙ୍କ ସହ ୧୨ ବର୍ଷର ବୟସ ଯାଏଁ ପିଲା ବସିଥିଲେ ବାଦ୍ ପଡିବେ । ଗମନାଗମନ ସୁବିଧା ପାଇଁ ୨ ଚକିଆ ଗାଡି ବାଦ୍ ପଡିପାରେ । ସେପଟେ ଘରୋଇ ସିଏନଜି କାର ମଧ୍ୟ ଚଳିତ ଥର ଏହି ନିୟମ ଅନ୍ତର୍ଭୁକ୍ତ ହୋଇଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ନଫୁଟାଇବାକୁ ଦିଲ୍ଲୀ ଜନତାଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଅକ୍ଟୋବର ୨୬ରୁ ୨୮ ପର୍ଯ୍ୟନ୍ତ ଦିଲ୍ଲୀର କର୍ନାଟ ପ୍ଲେସରେ ଲେଜର ଶୋର ଆୟୋଜନ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀବାସୀଙ୍କୁ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି କେଜ୍ରିୱାଲ ।

ବର୍ତମାନ ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୫ ପ୍ରତିଶତ ପ୍ରଦୂଷଣ କମ ଥିବା ବେଳେ ସମସ୍ତଙ୍କ ସହଯୋଗ ସହରର ପ୍ରଦୂଷଣ ହ୍ରାସ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଏହି ଯୋଜନାରେ ଥିବା ଜରିମାନା ନେଇ ପ୍ରତିକ୍ରିୟା ରଖି କେଜ୍ରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କ ଉପରେ ଜୋରିମାନା ଲଗାଇବା ଆମର ଉଦ୍ଦେଶ୍ୟ ନୁହେଁ ।