ବର୍ଷା ଉଜାଡି ଦେଇଛି ଚାଷ ! ଜିଲ୍ଲାସ୍ତରରେ କ୍ଷୟକ୍ଷତିର ଆକଳନ କରୁଛି କୃଷି ଓ ରାଜସ୍ୱ ବିଭାଗ । ଜମି ମାଲିକ ପାଖରେ ବନ୍ଧା ପଡିଛି ଭାଗଚାଷୀର ଭାଗ୍ୟ

45

କନକ ବ୍ୟୁରୋ : ମରୁଡି ପରେ ଧାନରେ ଚକଡା ପୋକର ଆକ୍ରମଣ ଯୋଗୁଁ ଚାଷୀ ଆଖିରୁ ଲୁହ ଶୁଖିନଥିବା ବେଳେ ଲଘୁଚାପ ବର୍ଷା ଚାଷୀର ନିଦ ହଜାଇଦେଇଛି । ଯେଉଁ ସମୟରେ ଚାଷୀ ଫସଲ ଅମଳ କରି ଖଳାକୁ ଆଣିବା କଥା ସେ ସମୟରେ ମୁଣ୍ଡରେ ହାତ ଦେଇବସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ଗଜାରେ ପରିଣତ ହୋଇଛି । ଫସଲ ଉଜୁଡି ଯିବା ପରେ ଧାର କରଜ କରିଥିବା ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା ।

ବ୍ଲକର ଉଜୁଡା ଫସଲ କ୍ଷେତ ବୁଲି ଦେଖିଛନ୍ତି ଖୋଦ୍ ରାଜସ୍ୱ ମନ୍ତ୍ରୀ । ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ପାଢୀ ଓ ସ୍ଥାନୀୟ ବିଧାୟକ ସମୀର ମହାନ୍ତି କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।  ଅଦିନିଆ ବର୍ଷା କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଚାଷୀ ମେରୁଦଣ୍ଡ ଭାଙ୍ଗି ଦେଇଛି । କିପରି ଋଣ ସୁଝିବେ, ସାହୁକାରର ତାଗିଦା ସହିବେ ଓ ପରିବାରର ପେଟ ପାଇଁ ଦି’ମୁଠା ଦାନା କେଉଁଠୁ ଆଣିବେ, ସେନେଇ ମୁଣ୍ଡପିଟି କାନ୍ଦୁଛନ୍ତି ଚାଷୀ । ପ୍ରାଥମିକ କୃଷି ସେବା ସମବାୟ ସମିତିରୁ ଋଣ ଓ ବିହନ ଆଣି ଚାଷ କରିଥିବା ବେଳେ ଅଦିନିଆ ଲଗାଣ ବର୍ଷା ସବୁ ସାରିଦେଇଛି ।

ଏବେ ପାଚିଲା ଧାନ କ୍ଷେତରେ ଆଂଠୁଏ ପାଣି ଜମି ରହିଥିବା ଧାନ ସବୁ ଗଜା ହୋଇଯାଇଛି । ଅବସ୍ଥା ଏଭଳି ଯେ, ଧାନ ହାତକୁ ଓ ଖଳାକୁ ଆସିବା ଅବସ୍ଥାରେ ନାହିଁ । ସରକାର କ୍ଷତିପୂରଣ ଦେଲେ, ରକ୍ଷା ପାଇବୁ, ନଚେତ୍ ମରିଯିବୁ ବୋଲି କାନ୍ଦି କାନ୍ଦି କହିଛନ୍ତି ରାଜନଗର ବ୍ଲକର ଚାଷୀ । ସେପଟେ ରାଜନଗର ଅଂଚଳରେ କ୍ଷୟକ୍ଷତି ଆକଳନ କରି ଏହାର ଭରଣା ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ବିଧାୟକ ଅଂଶୁମାନ ମହାନ୍ତି ।

ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡି ପରେ ଚକଡା ଚଡକ ଆଉ ଶେଷରେ ଅଦିନିଆ ବର୍ଷାର ତାଣ୍ଡବ । ବୌଦ୍ଧ ଜିଲ୍ଲାର ଚାଷୀଙ୍କ ପାଇଁ ବେଡୀ ଉପରେ କୋରଡା ମାଡ ପାଲଟିଛି । ଫସଲ ଉଜାଡି ଦେଇଛି ଲଘୁଚାପ ବର୍ଷା । ହଜାର ହଜାର ହେକ୍ଟର ଜମିରେ ବର୍ଷା ପାଣି ଜମିଥିବା ବେଳେ ପାଣିରୁ ଧାନ ଫସଲ ସାଉଁଟୁଛି ଚାଷୀ । ଅମଳ ହେବାକୁ ଥିବା ଧାନ ଏବେ ଗଜାରେ ହୋଇଯାଇଛି । ଏଭଳି ସ୍ଥିତିରେ ସରକାର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ସହାୟତା ରାଶି ପ୍ରଦାନ ସାଙ୍ଗକୁ ଋଣ ଛାଡ କରି ପୁନର୍ବାର ଋଣ ଯୋଗାଇ ଦେବାକୁ ଦାବୀ କରିଛି ଚାଷୀ । ସେପଟେ ଜିଲ୍ଲା କୃଷି ଅଧିକାରୀ କହୁଛନ୍ତି, କ୍ଷୟକ୍ଷତିର ଆକଳନ କରାଯାଉଛି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।