ଆସନ୍ତା ୨୫ରେ ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ଡାକରା ଦେଲା ମାଓବାଦୀ ସଂଗଠନ । ବନ୍ଦ ପାଇଁ ଅଡିଓ ଟେପ ଜାରି କଲେ ମାଓନେତ୍ରୀ

529

କନକ ବ୍ୟୁରୋ : ସରକାରଙ୍କ ଫାସିବାଦୀ ଶାସନ, ମାଓ ଦମନ ଅଭିଯାନକୁ ବିରୋଧ କରି ଅକ୍ଟୋବର ୨୫ରେ ଓଡ଼ିଶା ଏବଂ ପୂର୍ବ ଛତିଶଗଡ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ। ବନ୍ଦକୁ ସଫଳ କରିବା ପାଇଁ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ସଂପାଦିକା ମାଓନେତ୍ରୀ ମିତା ଅଡିଓ ଟେପ୍ ଜାରି କରିଛନ୍ତି। ଡିଭିଜନସ୍ତରରେ ବନ୍ଦକୁ ସଫଳ କରିବାକୁ ଉତ୍ପୀଡିତ ଜନତା, ଚାଷୀ, ମହିଳା, ଆଦିବାସୀ, ପରିବହନ କର୍ମଚାରୀ, ସରକାରୀ କର୍ମଚାରୀ, ବ୍ୟବସାୟୀ, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ମିତା ନିବେଦନ କରିଛନ୍ତି।

୨୦୦୯ରୁ ସରକାର ଚଳାଇଥିବା ଲୋକ ବିରୋଧୀ ଯୁଦ୍ଧ ଅପରେସନ୍ ଗ୍ରିନ୍ ହଣ୍ଟ୍ ବିଫଳ ହେବା ପରେ ୨୦୨୨ସୁଦ୍ଧା ସିପିଆଇ ମାଓବାଦୀ ଆନ୍ଦୋଳନକୁ ଶେଷ କରିଦେବା ଲକ୍ଷ୍ୟରେ ଚଳାଇଥିବା ଦମନ ଅଭିଯାନକୁ ପ୍ରତିରୋଧ ପାଇଁ ମାଓ ସଂଗଠନ ସ୍ତରରେ ଦମନ ଅଭିଯାନକୁ ତୀବ୍ର କରାଯାଇଥିବା କହିଛନ୍ତି ମିତା। ସରକାରଙ୍କ ଦମନ ଅଭିଯାନ ସଂପର୍କରେ ମିତା କହିଛନ୍ତି, ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ ଚାଲୁଥିବା ସମସ୍ତ ଗଣତାନ୍ତ୍ରିକ, ବିପ୍ଳବୀ ଆନ୍ଦୋଳନକୁ କ୍ରୂର ଭାବେ ସରକାର ଚପାଇ ଦେଇ ନିୟମଗିରି, କାଶୀପୁର, କର୍ଲାପାଟ, କଟକ ଡଙ୍ଗରରେ ଥିବା ବକ୍ସାଇଟ୍ ଓ ପ୍ରାକୃତିକ ସଂପଦକୁ ବହୁରାଷ୍ଟ୍ରୀୟ କଂପାନି ହାତରେ ଟେକି ଦେବାକୁ ଚକ୍ରାନ୍ତ କରିଛନ୍ତି।

ସରକାରଙ୍କ ଏହି ଦମନ ଅଭିଯାନକୁ ମାଓ ସଂଗଠନ ବିରୋଧ କରିବା ସହ ଗତ କିଛି ଦିନ ତଳେ କଳାହାଣ୍ଡିରେ ମିଥ୍ୟା ଗୁଳି ବିନିମୟରେ ମାଓ କମ୍ରେଡ୍ ସୁରେଶକୁ ହତ୍ୟା କରାଯାଇଛି। ଏହି ହତ୍ୟାର ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ପୁଲିସ୍ ଅଫିସରକୁ ଦଣ୍ଡ ପ୍ରଦାନ, ନିୟମଗିରି ତ୍ରିଲୋଚନପୁରରୁ ସିଆରପିଏଫ୍ କ୍ୟାମ୍ପ ତୁରନ୍ତ ପ୍ରତ୍ୟାହାର, ମିଛ ମାଓବାଦୀ ମାମଲାରେ ନିରୀହ ଜନସାଧାରଣଙ୍କୁ ମାଡ଼ ମାରିବା ଓ ଗିରଫଦାରୀ ବନ୍ଦ କରିବାକୁ ଆହ୍ବାନ ଦେଇଛି। ସରକାର ଷଡ଼ଯନ୍ତ୍ର ପୂର୍ବକ ଚଳାଇଥିବା ଏକପାଖିଆ ଆକ୍ରମଣକୁ ମିତା ନିନ୍ଦା କରିବା ସହ ସରକାର ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅଡିଓ ଟେପରେ କହିଛନ୍ତି।