ଲୋକପାଳ ବିଲରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ଜାହିର କଲେ ସମାଜସେବୀ ଆନ୍ନା ହଜାରେ : ଆସନ୍ତା ଗାନ୍ଧି ଜୟନ୍ତୀରୁ ନିଜ ଗ୍ରାମରେ କରିବେ ଅନଶନ !

40

କନକ ବ୍ୟୁରୋ : କେନ୍ଦ୍ର ସରକାର ଲୋକପାଳ ବିଲ ପ୍ରସ୍ତାବ ଉପରେ ଅହେତୁକ ବିଳମ୍ବ କରୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ବିଲ ଆସିବା ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଅନେକ ସମାଲୋଚନା କରିବା ସହ ସରକାର ମନଇଚ୍ଛା କାମ କରୁଛି ବୋଲି କହିଥିଲେ । ତେବେ ପୁଣିଥରେ ଲୋକପାଳ ବିଲ ତାତି ଗୃହରେ ଦେଖିବାକୁ ମିଳିଛି । କାହିଁକି ସରକାର ଏହି ବିଲ ଆଣିବାରେ ବିଳମ୍ବ କରୁଛନ୍ତି ତାହା ଜଣାପଡିନଥିଲେ ମଧ୍ୟ ଦେଶରେ ଥିବା ବିରୋଧୀ ଦଳ ସମାଲୋଚନା କରୁଛନ୍ତି । ସୂଚନା ଅନୁସାରେ କେନ୍ଦ୍ରରେ ଲୋକପାଳ ନିଯୁକ୍ତିରେ ବିଳମ୍ବ ଘଟୁଥିବାରୁ ଏହାକୁ ବିରୋଧ କରି ସାମାଜିକ କର୍ମୀ ଆନ୍ନା ହଜାରେ ଅକ୍ଟୋବର ୨ ତାରିଖରୁ ଅନଶନ ଧର୍ମଘଟ ଆରମ୍ଭ କରିବେ।

କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଧର୍ମଘଟ କରାଯିବ ବୋଲି ଜଣାଯାଇଛି। ଦୁର୍ନୀତି ବିରୋଧରେ ଲଢ଼େଇ କରିଆସୁଥିବା ଆନ୍ନା ଏ ନେଇ ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲୋକପାଳ ନିଯୁକ୍ତି ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ଲୋକପାଳ ନିଯୁକ୍ତି ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ବେଳେ ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ତେଣୁ ଚଳିତବର୍ଷ ଅକ୍ଟୋବର ୨ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରୁ ମୁଁ ଅନଶନ ଧର୍ମଘଟ ଆରମ୍ଭ କରିବି। ମହାରାଷ୍ଟ୍ରର ଅହମ୍ମଦନଗରସ୍ଥିତ ମୋ ନିଜ ଗ୍ରାମ ରାଲେଗାନ୍ ସିଦ୍ଧିରେ ଏହି ଧର୍ମଘଟ କରାଯିବ। ଏନଡିଏ ସରକାରଙ୍କୁ ସମାଲୋଚନା କରି ଆନ୍ନା କହିଛନ୍ତି, ସଂସଦରେ ୨୦୧୪ରେ ଲୋକପାଳ ବିଲ୍ ମଞ୍ଜୁରି ଲାଭ କରିବା ପରେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ନୀତିକୁ ହଟାଇବା ପାଇଁ ଏ ସରକାରଙ୍କର ଇଚ୍ଛା ନ ଥିବା ଭଳି ଲାଗୁଛି ବୋଲି ଆନ୍ନା କହିଛନ୍ତି। ତେବେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଆନ୍ନା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ କେନ୍ଦ୍ର ସରକାର କୈାଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡିଛି ।