ନିଶା ବଟିକା ଦେଇ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ବନାଯାଇଥିବା ଅଭିଯୋଗ ! ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି

23

କନକ ବ୍ୟୁରୋ: ଭୁବନେଶ୍ୱରରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ନିଶାଦେଇ ଅଶ୍ଲୀଳ ଭିଡିଓ ଉଠାଯାଇଥିବା ଅଭିଯୋଗ ହୋଇଛି । ସମୀର ନାମକ ଜଣେ ଯୁବକ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ସମୀର ଜଣେ ଝିଅ ସହାୟତାରେ ସେ ଏହି ନିଶା ବଟିକା ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସିୟୁରେ ଭର୍ତି କରାଯାଇଛି ।

ଏ ନେଇ ପରିବାର ଲୋକେ ବି ଅଭିଯୋଗ କରିଛନ୍ତି । ସଂପୃକ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ନିଶା ବଟିକା ଦେବା ପରେ ଛାତ୍ରୀଙ୍କୁ ବ୍ଲାକମେଲ କରାଯାଉଛି । ଏପରିକି ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ସୁଟ କରାଯାଉଥିଲା । ସଂପୃକ୍ତ ଛାତ୍ରୀଙ୍କ ପରିବାର ଏ ନେଇ ପ୍ରିନ୍ସିପାଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଛାତ୍ରୀଙ୍କ ବାପା ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତକାଲି ତାଙ୍କ ଝିଅର ପରୀକ୍ଷା ଥିବାରୁ ସକାଳ ସାଢ଼େ ୮ଟା ବେଳେ ସେ ନିଜେ ନେଇ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାଡ଼ି ଆସିଥିଲେ । ଦିନ ସାଢ଼େ ୧୨ଟା ପରେ ତାଙ୍କ ବଡ଼ ଝିଅ ସମ୍ପୃକ୍ତ ଛାତ୍ରୀଙ୍କୁ ଯାଇ ଘରକୁ ଆଣିଥିଲେ। ଘରକୁ ଫେରିବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚେତା ଫେରିବା ପରେ ପରେ ସେ କହିଥିଲେ ଯେ, ତାଙ୍କର ଜଣେ ସାଙ୍ଗ ତାଙ୍କୁ ଦୁଇଟି ଲାଲ ରଙ୍ଗର ଚକୋଲେଟ୍ ଖାଇବାକୁ ଦେଇଥିଲେ । ଖାଇ ସାରିବା ପରେ ସେ ଅଚେତ ହୋଇ ପଡ଼ିଥିଲେ । ତେବେ ଏହାର ସୁଯୋଗ ନେଇ ତାଙ୍କ ଝିଅର ସାଙ୍ଗଙ୍କ ଭାଇ ସମୀର ରଞ୍ଜନ ମହାନ୍ତି  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତାଙ୍କ ଝିଅର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଛି ବୋଲି ଝିଅର ବାପା ଅଭିଯୋଗ କରିଛନ୍ତି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।