କଙ୍ଗାରୁ ପରେ ହେବ କି କିୱି ଶିକାର ? ଅକଲାଣ୍ଡର ଇଡେନ ପାର୍କରେ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ଟକ୍କର, ବିଶ୍ୱକପ୍ ପ୍ରତିଶୋଧ ନେବାକୁ ବିରାଟ ବାହିନୀର ରଣନୀତି ।

368

କନକ ବ୍ୟୁରୋ: କଙ୍ଗାରୁ ପରେ କିୱି ଦଳର ଶିକାର କରିବାକୁ ପ୍ରସ୍ତୁତ ବିରାଟ ବାହିନୀ । ଆଜି ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଲଢ଼େଇ । ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ତେବେ ଘରୋଇ ମାଟିରେ କ୍ରମାଗତ ସିରିଜ୍ ଜିତିବା ପରେ ବିରାଟ ବାହିନୀ ନ୍ୟୁଜିଲାଣ୍ଡରେ ପହଂଚିଛି ।

ସବୁଠାରୁ ବଡ଼ କଥା ହେଲା କି, ଗତବର୍ଷ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦାୟ ନେଇଥିଲା ଟିମ୍ ଇଣ୍ଡିଆ । ତେଣୁ ଏହି ଗସ୍ତବେଳେ ସିରିଜ୍ ଜିତି ପ୍ରତିଶୋଧ ନେବାକୁ ଚେଷ୍ଟା କରି ଭାରତୀୟ ଦଳ । ତେବେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ହରାଇବା କୋହଲି ବାହିନୀ ପାଇଁ କଷ୍ଟକର ହେବ । ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଚଳାଇଛି । ତେଣୁ ଏହି ୫ଟିକିଆ ସିରିଜ୍ ଉପରେ ନଜର ଅଟକିଛି ।

ତେବେ ଟି-୨୦ ସିରିଜ୍ ସରିବା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହାସହ ଉଭୟ ଦେଶ ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବେ । ଚଳିତ ବର୍ଷର ଫର୍ମ ଏବଂ ବିଜୟ ଧାରାରେ ଅବଶ୍ୟ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡଠାରୁ ଢେର ଆଗରେ ରହିଛି । ଭାରତ ଏହି ଶୃଙ୍ଖଳା ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଭଳି ଖେଳାଳିଙ୍କ ବିନା ଖେଳିବ । ସେପଟେ ନ୍ୟୁଜିଲାଣ୍ଡର ଯୁବ ତାରକା ହାମିସ ବେନେଟ୍ ଶୁକ୍ରବାର ନିଜ ଟି-୨୦ ଡେବ୍ୟୁ କରିପାରନ୍ତି । ଭାରତ ଭଳି ନ୍ୟୁଜିଲାଣ୍ଡ ମଧ୍ୟ ଆଘାତ ଜନିତ ସମସ୍ୟା ଦେଇ ଗତିକରୁଛି । ତେବେ ଭ୍ରମଣକାରୀ ଦଳଭାବେ ସିରିଜର ପ୍ରଥମ ମ୍ୟାଚ୍ ଜିତିବାକୁ କ’ଣ ରଣନୀତି ଆପଣାଉଛି ଭାରତୀୟ ଟିମ୍ ତାହା ଉପରେ ନଜର ।