ମାଲକାନଗିରିରେ ବାଦାମ ଦୁଃଖ ! ବିକ୍ରି ହୋଇନପାରି ଜମିରେ ଗଜା ହେଲା ଅମଳ ଚିନାବାଦାମ

74

କନକ ବ୍ୟୁରୋ : ଆଳୁ, ଟମାଟୋ ଓ ପିଆଜ ପରେ ଏବେ ଚିନା ବାଦାମର ଅଭାବି ବିକ୍ରି । ମାଲକାନଗିରି ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମିରୁ ଚାଷୀ ଚିନା ବାଦାମ ଉତ୍ପାଦନ କରିଛି । ହେଲେ ଅଭାବି ବିକ୍ରି ଯୋଗୁଁ ଟନ୍ ଟନ୍ ଚିନା ବାଦାମ ଜମିରେ ଗଜା ହେଉଛି । ଆଉ କେତେକ ସ୍ଥାନରେ ଅମଳ ଚିନା ବାଦମ ସୁଖି ନଷ୍ଟ ହେଉଛି । ପ୍ରତିବର୍ଷ ବ୍ୟବସାୟୀମାନେ ସିଧାସଳଖ ଚାଷୀଙ୍କ ଠାରୁ ବାଦାମ କିଣିଥାନ୍ତି । ଏଥର କିନ୍ତୁ ସରକାର ମଣ୍ଡି ଖୋଲି ବାଦାମ କିଣିବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ଆଜି ଯାଏଁ ଜିଲ୍ଲାରେ ମଣ୍ଡିର ଦେଖା ନାହିଁ ।

ବିଲରେ ପଡିଛି ଚିନା ବାଦାମ । ଟାଣ ଖରାରେ ବାଦାମ ସୁଖି ନଷ୍ଟ ହେଉଛି । କେତେକ ସ୍ଥାନରେ ଅଦିନିଆ ଝଡବର୍ଷା ଭୟରେ ଝାଳ ବୁହା ଫସଲକୁ ତୋଳି ନେବାରେ ଲାଗିଛି ଚାଷୀ । ଫସଲ ବିକ୍ରି ପାଇଁ ବଜାର ସୁବିଧା ନଥିବାରୁ କଷ୍ଟ ଉପାର୍ଜିତ ଚିନାବାଦାମକୁ ନେଇ ହଟହଟା ମାଲକାନଗିରିର ଚାଷୀକୁଳ । ପୁରୁଣା ଓରକେଲ ଗାଁର ଆଦିବାସୀ ଚାଷୀ ଅର୍ଜୁନ ପାଙ୍ଗି । ୨ ଏକର ଜମିରେ ବାଦାମ ଚାଷ କରିଥିଲେ । ଏବେ ପିଲା ଛୁଆଙ୍କୁ ଧରି ଫସଲ ଅମଳ କରିଛନ୍ତି । ହେଲେ ବାଦାମ କିଣିବାକୁ କୌଣସି ସରକାରୀ ବାବୁ କି ବ୍ୟବସାୟୀ ଆସୁ ନଥିବାରୁ ବିଲରେ ହିଁ ବାଦାମ ଜଗି ରହିଛନ୍ତି ଅର୍ଜୁନ । ଅର୍ଜୁନଙ୍କ ଭଳି ଜିଲ୍ଲାର ହଜାର ହଜାର ଚାଷୀ କରଜ କରି ବାଦାମ ଚାଷ କରିଥିଲେ । ଅମଳ ଭଲ ହୋଇଥିବା ବେଳେ ବଜାର ଅଭାବରୁ ବାଦାମ ବିକ୍ରି ହୋଇନପାରି ଗଜା ହୋଉଛି । ବିକ୍ରିବଟାର କୌଣସି ସୁବିଧା ନଧିବା ବେଳେ ଅଦିନିଆ ବର୍ଷା ଭୟରେ ବିଲରେ ଥିବା ଚିନା ବାଦାମକୁ ଓପାଡି ନେବାକୁ ବାଧ୍ୟ ହୋଉଛନ୍ତି ଚାଷୀ ।

ସରକାରୀ ତଥ୍ୟ କହୁଛି, ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ୭ ହଜାର ୯ଶହ ୯୦ ହେକ୍ଟର ଚାଷ ଜମିରେ ଚିନା ବାଦାମ ଚାଷ ହୋଇଥିଲା । ଏବେ ସୁଦ୍ଧା ପ୍ରାୟ ୧ ଲକ୍ଷ ୬୫ ହଜାର କ୍ୟୁଇଂଟାଲ ବାଦାମ ଅମଳ ହୋଇଛି । ତେବେ ଏଥର ଚାଷୀଙ୍କ ଠାରୁ ବାଦାମ କିଣିବା ପାଇଁ ମଣ୍ଡି କରାଯିବ ବୋଲି ସରକାର ଘୋଷଣା କରିଥିଲେ । ମଣ୍ଡିରେ ମାର୍କଫେଡ ଜରିଆରେ କୃଷୀ ବିଭାଗ କ୍ୱିଂଟାଲ ପିଛା ୪ ହଜାର ୪ଶହ ୫୦ ଟାଙ୍କ ଦରରେ ୧ଲକ୍ଷ ୫ ହଜାର କୁଇଂଟାଲ ବାଦାମ କିଣିବେ । ହେଲେ ଏବେ ବାଦାମ ଅମଳ ହୋଇ ନଷ୍ଟ ହବାକୁ ବସିଥିବା ବେଳେ ମଣ୍ଡିର ଦେଖାନାହିଁ କି କୃଷି ବିଭାଗର କୌଣସି ଖବର ନାହିଁ । ଅନ୍ୟପଟେ ଆସନ୍ତା ୨୩ତାରିଖ ଠାରୁ ଜିଲ୍ଲାର ୩ଟି ବ୍ଲକର ଭି୍ନ୍ନ ଭି୍ନ୍ନ ସ୍ଥାନରେ ମଣ୍ଡି ଜରିଆରେ ଚିନା ବାଦାମ କିଣାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ।

ମାଲକାନଗିରି ଜିଲ୍ଲାରୁ ପ୍ରତି ବର୍ଷ ୩ ରୁ ୪ ଲକ୍ଷ କ୍ୟୁଇଂଟାଲ ଚିନା ବାଦାମ ବାହାର ରାଜ୍ୟକୁ ରପ୍ତାନୀ ହୋଉଛି । ବଜାର ସୁବିଧା ନଥିବା ବେଳେ ଉଚିତ ମୂଲ୍ୟ ମିଳୁନଥିବାରୁ ଆସ୍ତେ ଆସ୍ତେ ଚାଷୀ ବାଦାମ ଚାଷ ଠାରୁ ମୁହଁ ଫେରାଇଲେଣି ।