ଚିନ୍ତାରେ ବାଲେଶ୍ୱର ବସ୍ତା ବ୍ଲକର ଚାଷୀ : ବିକ୍ରି ହେଉନି ବାଦାମ, ଅଭାବି ବିକ୍ରିର ଶିକାର ହେଉଛି ଚଷା ପୁଅ

62

କନକ ବ୍ୟୁରୋ : ଗୋଟିଏ ପଟେ ବିଭିନ୍ନ ଫସଲର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରୁଛନ୍ତିି ସରକାର । ଅନ୍ୟପଟେ ଚାଷୀଙ୍କଠାରୁ ସରକାର ଅମଳ ଫସଲ କିଣୁ ନାହାଁନ୍ତି । ଫଳରେ ପଡି ରହୁଛି ବସ୍ତା ବସ୍ତା ଅମଳ ଫସଲ । ଫଳରେ କମ୍ ଦରରେ ମୁନାଫାଖୋର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବାଲେଶ୍ୱର ବସ୍ତା ଅଂଚଳରେ ଚିନାବାଦାମର ଅଭାବି ବିକ୍ରିକୁ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ ।

ଚିନାବାଦାମ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ବାଦାମ । ଡଗରା ପଂଚାୟତର ଆମ୍ବଚୁଆ, ଯୋଗଡିହା, ଜାମତକୁଲା ଓ ଡଗରାର ପାଖାପାଖି ୧୦ ହଜାର ଓ ଚୌମୁଖ ପଂଚାୟତର ପାଖାପାଖି ୯ହଜାର ଚାଷୀ ବାଦାମ ଚାଷ କରିଥିଲେ । ଅମଳ ପରେ ଭଲ ଦି ପଇସା ରୋଜଗାର କରି ପରିବାର ଚଳାଇବା ପାଇଁ ଆଶା ବାନ୍ଧିଥିଲେ । କିନ୍ତୁ ବିକ୍ରି ନହେବାରୁ ବାଧ୍ୟ ହୋଇ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଆଉ ମାଲାମାଲ୍ ହେଉଛନ୍ତି ବ୍ୟବସାୟୀ ।

ଅଭାବି ବିକ୍ରି ରୋକିବା ପାଇଁ ସରକାର ସେବା ସମବାୟ ସମିତି ମାଧ୍ୟମରେ ମଣ୍ଡି ଖୋଲି ଚାଷୀଙ୍କଠାରୁ ସିଧାସଳଖ ଚିନାବାଦାମ କିଣିବା ପାଇଁ ବ୍ୟବସ୍ଥା କରିଥିଲେ । କିଲୋ ପିଛା ୪୪ଟଙ୍କା ୫୦ପଇସା କିଣିବାକୁ ମାର୍କଫେଡକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମାର୍କଫେଡ୍ ଅଧିକାରୀମାନେ ଭିତିରିଆ ସଲାସୁତରା କରି ପ୍ରକୃତ ଚାଷିଠାରୁ ବାଦାମ ନକିଣି ବ୍ୟବସାୟୀଙ୍କଠାରୁ କିଣୁଥିବାର ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମବାୟ କର୍ତ୍ତୃର୍ପକ୍ଷ । ଜିଲ୍ଲା ପ୍ରଶାସନ ଅଭାବି ବିକ୍ରି ପ୍ରତି ନଜର ଦେଲେ ଚାଷୀଙ୍କ ସମସ୍ୟା ଦୂର ହୋଇପାରିବ ।