ଆଗୁଆ ଇଲାକାର ଅନ୍ଧାରୀ ଚିକିତ୍ସା ! ଯେଉଁଠି ଆଲୁଅ ଗଲେ ଅଚଳ ହୋଇପଡ଼େ ହସ୍ପିଟାଲ୍

38

କନକ ବ୍ୟୁରୋ: ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ଚାଲିଛି ଚିକିତ୍ସା । ମୋବାଇଲରେ ଲାଇଟରେ ରୋଗୀଙ୍କୁ ନର୍ସ ଦେଉଛନ୍ତି ଇଞ୍ଜେକସନ । ଆଉ ଅନ୍ଧାରରେ ଚାଲିଛି ରୋଗୀ ସେବା । ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱରର ମୁଖ୍ୟ ଚିକିତ୍ସାଳୟରେ ।

ସ୍ଥାନ – ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସମୟ – ରାତି ୬ଟାରୁ ୧୦ଟା ମଧ୍ୟରେ । ଲିଭିଯାଏ ହସ୍ପିଟାଲର ଆଲୁଅ । ଅନ୍ଧାରୁଆ ହୋଇପଡ଼େ ଡାକ୍ତରଖାନାର ଜରୁରୀକାଳୀନ ଭେଷଜ ବିଭାଗ । ଅନ୍ୟପଟେ ଚିକିତ୍ସା ଜରୁରୀ ଥିବାରୁ କର୍ମଚାରୀ ଆରମ୍ଭ କରନ୍ତି ରୋଗୀଙ୍କ ଅନ୍ଧାରୀ ଚିକିତ୍ସା । ମୋବାଇଲ୍ ଟର୍ଚ୍ଚ ଆଲୁଅରେ କର୍ମଚାରୀ ରୋଗୀଙ୍କୁ ଦିଅନ୍ତି ଜୀବନରକ୍ଷକ ଇଂଜେକ୍ସନ୍ । ଉଭୟ ପୁରୁଷ ଓ ମହିଳା ୱାର୍ଡରେ ମହମବତୀ ଭରସାରେ ଚାଲିଛି ଚିକିତ୍ସା ।

ତେବେ ଏହି ସମସ୍ୟା ଆଜି କିମ୍ବା କାଲିର ନୁହଁ । ଦୀର୍ଘ ତିନି ମାସ ଧରି ବାଲେଶ୍ୱର ଡାକ୍ତରଖାନାରେ ଏଭଳି ରହିଛି ସ୍ଥିତି । ବିଦ୍ୟୁତ ଚାଲିଗଲେ ରୋଗୀ ଅନ୍ଧାରରେ ରହିବା ସହ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି ରୋଗୀଙ୍କ ସମ୍ପର୍କୀୟ । ବାଲେଶ୍ୱର ଡାକ୍ତରଖାନା ଉପରେ ଉତର ଓଡ଼ିଶା ନିର୍ଭରଶୀଳ ଥିବା ବେଳେ ଏବେ ଭଗବାନ ଭରସାରେ ରୋଗୀ ସେବା ।

ସୂଚନା ଅନୁଯାୟୀ, ହସ୍ପିଟାଲକୁ ନବୀକରଣ କରାଯାଇଥିବାବେଳେ ଏହି ନୂତନ ୱାର୍ଡ ଗୁଡିକରେ ଡିଜି ସଂଯୋଗ କରାଯାଇନାହିଁ । ଏହି ସମସ୍ୟା ୩ ମାସ ଧରି ଲାଗି ରହିଛି । ତେବେ କାଳବୈଶାଖି ଯୋଗୁ ବିଦ୍ୟୁତ୍ ସରବରାହ ବନ୍ଦ ରହିବାରୁ ଚିକିତ୍ସା ଆହୁରି ବାଧାପ୍ରାପ୍ତ ହୋଇଛି ।