ଧାରଣାରେ ବସିଛନ୍ତି ନର୍ସ, ଛଟପଟ ହେଉଛି ରୋଗୀ ! ବ୍ରହ୍ମପୁର ଏମକେସିଜି ମେଡିକାଲରେ ନର୍ସଙ୍କ ଅନୁପସ୍ଥିତିରେ କେମିତି ଚାଲିଛି ରୋଗୀ ସେବା ?

26
କନକ ବ୍ୟୁରୋ : ଭଗବାନ ଭରସାରେ ରୋଗୀ । ଗୋଟିଏ ପଟେ ଧାରଣାରେ ବସିଛନ୍ତି ନର୍ସ ଏବଂ ଅନ୍ୟପଟେ ଛଟପଟ ହେଉଛି ରୋଗୀ । ରୋଗୀଙ୍କୁ ଦେଖିବାକୁ ପାଖରେ ସିନିଅର୍ ନର୍ସ ନାହାଁନ୍ତି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ନର୍ସଙ୍କ ଅନୁପସ୍ଥିତିରେ କେମିତି ଚାଲିଛି ରୋଗୀ ସେବା । ରାତିରେ ରୋଗୀ ସେବାର ସ୍ଥିତି ପରଖିଛି କନକ ନ୍ୟୁଜ୍ ।
ଯନ୍ତ୍ରଣାରେ ଛଟପଟ ରୋଗୀ । ଅବସ୍ଥା ଗୁରୁତର । ବିଷ ପିଇ ଅସୁସ୍ଥ ହୋଇପଡିଥିବା ମହିଳାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର । ହେଲେ ଅଧରାତିରେ ମହିଳାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡି ଯାଇଥିଲା । ମହିଳାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା ହେଲେ ତାହା କାମ କରୁନଥିଲା । ଜୁନିଅର୍ ନର୍ସଙ୍କ ଏହି ଅବହେଳା ଦେଖିବାକୁ ପାଖରେ ନଥିଲେ କେହି ଜଣେବି ବରିଷ୍ଠ ନର୍ସ । ବଡ ମେଡିକାଲରେ ଏଭଳି ସ୍ଥିତି ଖାଲି ଗୋଟିଏ ୱାର୍ଡରେ ନଥିଲା ବରଂ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥିଲା । କେଉଁଠି ରୋଗୀଙ୍କୁ ସାଲାଇନ୍ ଲାଗିନଥିଲା ତ ଆଉ କେଉଁଠି ଇଂଜେକ୍ସସନ୍ ଦିଆଯାଇନଥିଲା । ଭୁଷୁଡି ପଡିଥିଲା ବଡ ମେଡିକାଲର ସ୍ୱାସ୍ଥ୍ୟସେବା ।
ଗୋଟିଏ ପଟେ ରୋଗୀ କଷ୍ଟ ପାଉଛନ୍ତି ଆଉ ଅନ୍ୟପଟେ ଧାରଣାରେ ବସିଛନ୍ତି ବଡ ମେଡିକାଲର ନର୍ସ । ଦାବି ପୂରଣ ନହେଲା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଫା ସଫା କହିଛନ୍ତି ସିନିଅର୍ ନର୍ସ । ଏମକେସିଜି ଭଳି ରାଜ୍ୟର ଅନ୍ୟ ମେଡିକାଲରେ ବି ସମାନ ସ୍ଥିତି । ଆନ୍ଦୋଳନରେ ବସିଛନ୍ତି ନର୍ସ ଏବଂ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ ।