ନର୍ସ ନିହାରିକାଙ୍କୁ ହତ୍ୟାପରେ ଅଖାରେ ପୁରାଇ ନଦୀରେ ଭସାଇଦେଲେ ଦୁର୍ବୃତ । ହତ୍ୟା ପଛରେ ପ୍ରେମିକର ସଂପୃକ୍ତି ନେଇ ପୁଲିସର ସନ୍ଦେହ ।

1,229

କନକ ବ୍ୟୁରୋ : କଟକର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ଷ୍ଟାଫ ନର୍ସଙ୍କ ମୃତ ଦେହ ମିଳିଛି । ଜଗତସିଂହପୁରର କୂଳକଇଜଙ୍ଗାରେ ନଈରୁ ଭାସୁଥିବା ଅବସ୍ଥାରେ ମିଳିଛି ଜଣେ ଯୁବତୀଙ୍କ ମୃତଦେହ । ସନ୍ଦେହ କରାଯାଉଛି ଏହା ଏକ ହତ୍ୟାକାଣ୍ଡ ବୋଲି । ଯୁବତୀ ଜଣଙ୍କ ହେଉଛନ୍ତି ନିହାରିକା । ତେବେ ଯୁବତୀଙ୍କ ପ୍ରେମିକ ରାଜାଙ୍କ ସମ୍ପୃକ୍ତି ଏହି ହତ୍ୟାକାଣ୍ଡରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଯୁବତୀଙ୍କୁ କିଏ ମାରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । କିଛି ଦିନ ପୂର୍ବରୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ରିପୋର୍ଟ ହେବା ପରେ ଆଜି ନଈରୁ ମିଳିଛି ମୃତଦେହ ।

ନିହାରିକା । କଟକର ଏମଏମ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିବା ଏହି ଯୁବତୀଙ୍କ ସହ ଏମିତି ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଜଗତସିଂହପୁରରେ ବିଲୁଆଖାଇ ନଈରୁ ନିହାରିକାଙ୍କ ମୃତଦେହ ମିଳିଛି । ହାତ ଗୋଡ ବନ୍ଧା ହୋଇଛି ଏବଂ ପୁରା ଶରୀରକୁ ଅଖାରେ ପୁରାଇ କଟକରେ ଭସାଇ ଦିଆଯାଇଛି । ଆଉ ମୃତଦେହଟି ଭାସି ଭାସି ଆସି ଜଗତସିଂହପୁରର କୂଳକଇଜଙ୍ଗାରେ ନଈକୂଳରେ ଲାଗିଛି ।

ଗତ ୮ ତାରିଖରେ ନିହାରିକା ନିଖୋଜ ହୋଇଯାଇଥିବା ନେଇ କଟକର ମଧୁପାଟଣା ଥାନାରେ ରିପୋର୍ଟ ହୋଇଥିଲା । ପରିବାରଲୋକେ ସନ୍ଦେହ କରୁଥିଲେ, ନିହାରିକା ତାଙ୍କର ପ୍ରେମିକ ରାଜା ସହ କୁଆଡେ ଯାଇଥିବେ ବୋଲି । ସେବେଠାରୁ ରାଜାର ବି କିଛି ଖବର ନଥିଲା । ତେବେ ଏହି ବ୍ୟକ୍ତି ରାଜା ଉପରେ ଏବେ ସମସ୍ତଙ୍କର ସନ୍ଦେହ । କାରଣ ନିହାରିକାଙ୍କ ମୃତ୍ୟୁ ଏକ ମର୍ଡର କେସ ବୋଲି ପ୍ରାୟ ସ୍ପଷ୍ଟ ହୋଇଗଲାଣି । କିନ୍ତୁ ହତ୍ୟାକାରୀ କିଏ ତାହା ଏବେବି ଅସ୍ପଷ୍ଟ ରହିଛି । ଆଉ ସମସ୍ତଙ୍କର ନଜର ଅଟକିଛି ଏହି ରାଜା ଉପରେ ।