ଘରର ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ଭାଙ୍ଗି ପଡିଛି ନିହାରିକାଙ୍କ ପରିବାର। କିଏ ସଜାଡିବ ନିହାରିକାଙ୍କ ଉଜୁଡା ସଂସାର? ସହାୟତା ଅପେକ୍ଷାରେ ନିହାରିକାଙ୍କ ପକ୍ଷାଘାତ ବାପା ଓ ରୋଗିଣା ମାଆ

1,139

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟାକାଣ୍ଡର ପଡିଛି ଯବନୀକା । ସଇତାନ ପ୍ରେମିକ କିଶୋର ଆଂଚଲ ଓରଫ ରାଜା ହିଁ କରିଛି ନିହାରିକାଙ୍କୁ ହତ୍ୟା । ଗତକାଲି ଜଗତସିଂହପୁର ଏସପି ପ୍ରେସମିଟରେ ଅଭିଯୁକ୍ତକୁ ସାମ୍ନାକୁ ଆଣିବା ସହ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛନ୍ତି । ବିବାହକୁ ନେଇ ରାଜା ଓ ନିହାରିକାଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ନିହାରିକାଙ୍କ ତଂଟିି ଚିପି ହତ୍ୟା କରିଥିବା ରାଜା ପୋଲିସ ଆଗରେ ସ୍ୱୀକାର କରିଛି ।

ସେପଟେ ରୋଜଗାରିଆ ଝିଅକୁ ହରାଇବା ପରେ ନିହାରିକାଙ୍କ ପରିବାର ଉପରେ ସତେ ଯେମିତି କଳାବାଦଲ ଘୋଟିଯାଇଛି । ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ରଙ୍କ ଏକମାତ୍ର ଝିଅ ହେଉଛନ୍ତି ନିହାରିକା ପାତ୍ର (୨୪)। ନିହାରିକାଙ୍କ ବାପା ଗଗନ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ହୃଦଘାତରେ ବି ପୀଡ଼ିତ। ମାଆ ପ୍ରତିମା ପାତ୍ରଙ୍କ ଶରୀର ମଧ୍ୟ ଅସୁସ୍ଥ। ଝିଅ ମୃତ୍ୟୁର ଖବର ପାଇବା ପରଠୁ ପ୍ରତିମା ପୂରା ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଅଭାବ ଅନଟନ ଭିତରେ ନିହାରିକା ମାମୁଘର ବିରିଡ଼ିରେ ରହି ନର୍ସିଂ ଟ୍ରେନିଂ ଯାଇଥିଲେ ।

ଟ୍ରେନିଂ ଶେଷ ହେବା ପରେ କଟକ ଲିଙ୍କରୋଡସ୍ଥିତ ଏମଏମ ନର୍ସିଂ ମେଡିକେୟାରରେ ଚାକିରି କରିଥିଲେ। ସେଠାରେ ରହି ଯାହା କିଛି ଟଙ୍କା ରୋଜଗାର କରୁଥିଲେ, ସେଥିରେ ଦୁଃଖେକଷ୍ଟେ ସେମାନେ ଚଳି ଯାଉଥିଲେ। ରୁଗ୍ଣ ବାପା ମାଆଙ୍କ ଚିକିତ୍ସା ଖର୍ଚ୍ଚ ସହିତ ନିଜର କଲେଜ ପଢ଼ୁଆ ସାନଭାଇ ରାକେଶର ବୋଝ ବି ମୁଣ୍ଡାଇଥିଲେ ନିହାରିକା। ହେଲେ ନିହାରିକାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପୂରା ଭାଙ୍ଗି ପଡ଼ିଛି। ରୋଜଗାରର ଅନ୍ୟ କିଛି ଉପାୟ ନଥିବା ବେଳେ ଘରର ଏକମାତ୍ର ରୋଜଗାରିଆ ଝିଅକୁ ହରେଇ ଏବେ ସର୍ବସ୍ବାନ୍ତ ହୋଇଯାଇଛି ନିହାରିକାଙ୍କ ପରିବାର ।

ସୂଚନାଯୋଗ୍ୟ, ବିରିଡ଼ିରେ ମାମୁଁ ଘରେ ରହିବା ସମୟରେ ଅଭିଯୁକ୍ତ ବିରିଡ଼ି ଥାନା ଅଧୀନ ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜା ନାମକ ଜଣେ ଯୁବକ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲ। ଗତ ୮ ତାରିଖ ଅପରାହ୍ନରେ ପ୍ରେମିକ ତାଙ୍କୁ ନର୍ସିଂ ହୋମରୁ ନେଇଯାଇଥିଲା। ପରଦିନ ପୂର୍ବାହ୍ନରେ ବିଲୁଆଖାଇ ନଦୀରୁ ଅଖାରେ ଭର୍ତି ହୋଇଥିବା ତାଙ୍କ ଶବକୁ ପୁଲିସ ଜବତ କରିଥିଲା। ତେବେ ରାଜା ହିଁ ନିହାରିକାଙ୍କୁ ମାରିଥିବା ଗତକାଲି ପୁଲିସ୍ ନିକଟରେ ସ୍ୱୀକାର କରିଛି ।