୪ବର୍ଷରେ ଭାରତରେ କୋଟିପତିଙ୍କ ସଂଖ୍ୟା ବଢିଛି ୬୦ ପ୍ରତିଶତ ! ଭାରତରେ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରୁଛନ୍ତି ୮୧ହଜାର ଲୋକ ।

40

କନକ ବ୍ୟୁରୋ : ଭାରତରେ ବଢୁଛି କୋଟିପତିଙ୍କ ସଂଖ୍ୟା । ଗତ ୪ ବର୍ଷରେ କୋଟିପତିଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ଆୟକର ବିଭାଗର ପରିସଂଖ୍ୟାନରୁ ସାମ୍ନାକୁ ଆସିଛି ଏପରି ତଥ୍ୟ । ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ ବା ସିବିଡିଟି ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରା କରିଛନ୍ତି ଏପରି ଖୁଲାସା । ସିବିଡିଟି ଅଧ୍ୟକ୍ଷଙ୍କ କହିବା ଅନୁସାରେ ବାର୍ଷିକ କୋଟିଏରୁ ଅଧିକ ଟଙ୍କା ରୋଜଗାର କରୁଥିବା କରଦାତାଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଉଛି । ଗତ ୪ ବର୍ଷରେ ଏପରି ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତ ବଢି ୧ ଲକ୍ଷ ୪୦ ହଜାରରୁ ଅଧିକ ହୋଇଛି । ଆୟକର ବିଭାଗର ପରିସଂଖ୍ୟାନ ଅନୁଯାୟୀ ବିଭିନ୍ନ କର୍ପୋରେଟ୍ ସଂସ୍ଥା, ଫାର୍ମ, ସହ ବ୍ୟକ୍ତିଗତ ଭାବେ ମଧ୍ୟ କୋଟିପତିଙ୍କ ସଂଖ୍ୟା ବଢିବାରେ ଲାଗିଛି ।

୨୦୧୪-୧୫ ଆର୍ଥିକ ବର୍ଷରେ ୮୮ ହଜାର ୬୪୯ ଜଣ କରଦାତା ସେମାନଙ୍କର ରୋଜଗାର ବାର୍ଷିକ କୋଟିଏ ଟଙ୍କାରୁ ଅଧିକ ବୋଲି ଦର୍ଶାଇଥିଲେ । ଯେତେବେଳେ କି ୨୦୧୭-୧୮ ଆର୍ଥିକ ବର୍ଷରେ ଏପରି କରଦାତାଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୩୯ରେ ପହଁଚିଛି । ଆୟକର ବିଭାଗର ପରିସଂଖ୍ୟାନରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ଭାବେ କୋଟିଏରୁ ଅଧିକ ବାର୍ଷିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢିଛି । ୨୦୧୪-୧୫ ଆର୍ଥିକ ବର୍ଷରେ ଏପରି କରଦାତାଙ୍କ ସଂଖ୍ୟା ୪୮ ହଜାର ୪୧୬ ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ତାହା ୮୧ ହଜାର ୩୪୪ରେ ପହଁଚିଛି । ବ୍ୟକ୍ତିଗତ ଭାବେ ଏପରି କୋଟିପତିଙ୍କ ସଂଖ୍ୟାରେ ଏହି ବୃଦ୍ଧି ପ୍ରାୟ ୬୮ ପ୍ରତିଶତ ବୋଲି ଆୟକର ବିଭାଗ ପକ୍ଷରୁ ଜଣାପଡିଛି ।