ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପୁରପଲ୍ଲୀ : ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

481

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ । ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହୋଇଛି । ଇଷ୍ଟଦେବୀଙ୍କ ନିକଟରେ ନବାହ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇ ଉଠିଛି । ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଖାଇ ପାଳିବାକୁ ଘରକୁ ଫେରିଛନ୍ତି । ନୂଆଖାଇ ପାଇଁ ପଶ୍ଚିମଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

nuakhai festival

ବଲାଙ୍ଗୀରରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପୂର୍ବ ନିଦ୍ଧାରିତ ଲଗ୍ନ ଅନୁସାରେ ଲାଗି ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ । ଏହାପରେ ନୂଆ ଖାଇଛନ୍ତି ବଲାଙ୍ଗୀରବାସୀ । ନୂଆ ଖାଇବା ପାଇଁ ଏକାଠି ହୋଇଛନ୍ତି ସମସ୍ତେ । ସ୍ୱତନ୍ତ୍ର ପରମ୍ପରା ବହନ କରୁଥିବା ଏହି ପର୍ବକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ ।

ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସୁବର୍ଣ୍ଣପୁରର ଇଷ୍ଟଦେବୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନବାନ୍ନକୁ ମାଙ୍କ ନିକଟରେ ଲାଗି କରାଯାଇଛି । ପରମ୍ପରା ଅନୁସାରେ ଯଥାରୀତି ପୂଜାର୍ଚ୍ଚନା କରାଯାଇ ମା’ଙ୍କ ନିକଟରେ ଲାଗି କରାଯାଇଛି ନୂଆ ଚାଉଳ । ଏଥିପାଇଁ ସମଗ୍ର ସୋନପୁର ଅଂଚଳ ଉତ୍ସବମୁଖର ହୋଇଛି । ଲାଗିଛି ଉତ୍ସବର ଧୂମ୍ ।

nuakhai

ନୂଆଖାଇ ପାଇଁ ଉତ୍ସବମୁଖର ହୋଇଛି ସୁନ୍ଦରଗଡ । ସବୁଠି ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ନୂଆ ଖାଉଥିବାବେଳେ ସୁନ୍ଦରଗଡରେ ଆଦିବାସୀ ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କୁ ନୂଆ ଚାଉଳ ଲାଗି ପରେ ନୂଆ ଖାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ । ସଂଗ୍ରହ କରିଥିବା ଚାଉଳରୁ ପିଠା ପଣା ପିତୃପୁରୁଷଙ୍କୁ ଲାଗି କରିବା ପରେ ନିଜେ ଖାଇଛନ୍ତି ।

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ନୂଆଖାଇ ପର୍ବ ପାଳିତ ହୋଇଥାଏ । ପର୍ବ ଦିନ ନୂଆ ଲୁଗା ପିନ୍ଧି କୃଷକ କ୍ଷେତକୁ ଯାଆନ୍ତି । କ୍ଷୀର, ଅରୁଆ ଚାଉଳ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ ସହ ଧରଣୀମାତା ଓ ମହାଲକ୍ଷ୍ମୀଙ୍କୁ ଯଥାରୀତି ପୂଜାର୍ଚ୍ଚନା କରିଥାନ୍ତି । ତାପରେ ନୂଆ ଫଳିଥିବା ଧାନକେଣ୍ଡା ଧରି ଘରକୁ ଫେରନ୍ତି । କେଣ୍ଡାରୁ ଧାନ ବାଛି ସଫା କରିବା ପରେ ସେଥିରେ ପଂଚାମୃତ ମିଶାଇ ଭୋଗ ପ୍ରସ୍ତୁତ ହୁଏ । ପ୍ରଥମେ ଦେବଦେବୀ ଓ ପିତୃପୁରୁଷଙ୍କୁ ଭୋଗ ଅର୍ପଣ କରାଯାଏ । ସମସ୍ତେ ଏକତ୍ର ବସନ୍ତି , ପରିବାରର ବରିଷ୍ଠ ବ୍ୟକ୍ତି ଭୋଗ ଭକ୍ଷଣ ପରେ ଅନ୍ୟମାନେ ଖାଇଥାନ୍ତି । ଭୋଗ ସାଙ୍ଗକୁ ପିଠା, ମିଠା, ଅନ୍ନବ୍ୟଞ୍ଜନ ଆଦି ସମସ୍ତେ ଖାଇଥାନ୍ତି । ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନିଅନ୍ତି । ଗାଁରେ ସମସ୍ତେ ସମସ୍ତଙ୍କ ଘରକୁ ଯାଇ କିମ୍ବା ମନ୍ଦିର ମଣ୍ଡପରେ ସମବେତ ହୋଇ ପରସ୍ପରକୁ ନୂଆଖାଇ ଜୁହାର ଜଣାନ୍ତି । ନୂଆଁଖାଇ ପାରସ୍ପରିକ ଭାବ ବିନିମୟ ଓ ମିଳନର ପର୍ବ । ଭିଟାମାଟି ଛାଡି ଅନ୍ୟତ୍ର ରହୁଥିବା ଲୋକଙ୍କ ପାଇଁ ନୂଆଖାଇରେ ଏକାଠି ହେବାର ସୁଯୋଗ ମିଳେ ।