ନୂଆପଡାରେ ପୁଣି ବାଘ ଆତଙ୍କ ! ହଳଦୀ ଗାଁରେ ବାଘର ପାଦ ଚିହ୍ନ ଠାବ, ବନ ବିଭାଗର ଛାନଭିନ୍

35

କନକ ବ୍ୟୁରୋ : ନୂଆପଡା ହଳଦୀ ଗାଁରେ ବାଘ ଆତଙ୍କ । ହଳଦୀ ଗାଁର ଗଉଧସ ପୋଖରୀ ନିକଟରେ ଠାବ ହୋଇଛି ବାଘର ପାଦ ଚିହ୍ନ । ଗାଁ ନିକଟରେ ଥିବା ଗଉଧସ ପୋଖରୀ ଆଖପାଖ ଅଂଚଳରେ ବାଘର ଅନେକ ପାଦ ଚିହ୍ନ ଠାବ ହୋଇଛି । ବନବିଭାଗ ଗାଁରେ ପହଂଚି ଛାନଭିନ ଆରମ୍ଭ କରିଛି । ଏହି ପାଦ ଚିହ୍ନ ଗୁଡିକ ଗତକାଲି ରାତିର ବୋଲି ବନବିଭାଗର ଅନୁମାନ କରୁଛି । ପାଦ ଚିହ୍ନ ଗୁଡିକର ହଲମାର୍କ ସଂଗ୍ରହ କରିଛି ବନବିଭାଗ । ତେବେ ଏହା ପରୀକ୍ଷା କରିବା ପରେ କେତୋଟି ବାଘ ଥିଲେ ସେ ନେଇ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି ।

କିଛି ଦିନ ପୂର୍ବରୁ ଉକ୍ତ ଗାଁରୁ ଧରାପଡିଥିଲା ମଣିଷଖିଆ ବାଘ । ବନବିଭାଗ ବିଛାଇଥିବା ଯନ୍ତାରେ ପଡିଥିଲା କଲରାପତରିଆ । ନୂଆପଡାର ନରଖାଦକ କଲରାପତରିଆକୁ ନନ୍ଦନକାନନ ଅଣାଯାଇଥିଲା । ଦେଢମାସ ଧରି ନୂଆପଡାର ହଳଦୀ ଜଙ୍ଗଲ ଅଂଚଳରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଧରାପଡ଼ିଥିଲା । ମାଆ କୋଳରୁ ୪ ବର୍ଷର ଶିଶୁକୁ ଉଠାଇନେବା ସହ ଗାଁରେ ୫ ଜଣଙ୍କୁ ଆକ୍ରମଣ କରିଥିଲା ଉକ୍ତ ବାଘ । ଯାହାକୁ କାବୁ କରିବାକୁ ସ୍ୱତନ୍ତ୍ର ଅପରେସନ୍ କରିଥିଲା ବନବିଭାଗ । ବହୁତ ଚେଷ୍ଟା ପରେ ଧରାପଡ଼ିଥିଲା କଲରାପତରିଆ । କିନ୍ତୁ ଏବେ ପୁଣି ଥରେ ନୂଆପଡ଼ା ହଳଦୀ ଗାଁରେ ମାତିଛି ବାଘ ।