ନୂଆପଡ଼ା ମଣ୍ଡିରେ ଉଠୁନି ଧାନ । ୪୦ ଦିନ ହେଲା ୬ ହଜାର କ୍ୱିଂଟାଲ ଧାନକୁ ଜଗି ରହିଛନ୍ତି ଚାଷୀ । ବିକ୍ରି ହେଉନି ଧାନ, ଅଟକି ଗଲାଣି ପିଲାଙ୍କ ପାଠପଢ଼ା

ସମବାୟ ସମିତି ସଂପାଦକଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଲୋକ

288

କନକ ବ୍ୟୁରୋ: ଟୋକନ ମିଳିବା ପରେ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଚାଷୀ ତାତି ଉଠିଲେ । ଦୀର୍ଘ ୪୦ ଦିନ ହେଲା ପ୍ରାୟ ୬ ହଜାର କ୍ୱିଂଟାଲ ଧାନକୁ ଜଗି ରହିଥିଲେ । ହେଲେ ସମସ୍ୟାର ସମାଧାନ ନହେବାରୁ ଶନିବାର ସଂଧ୍ୟାରେ ସେମାନଙ୍କ ସମସ୍ୟା ଜଣାଇବା ପାଇଁ ଡାକି ରାତି ପ୍ରାୟ ୧୧ଟା ଯାଏଁ ପେକ୍ସ ସେକ୍ରେଟାରୀଙ୍କୁ ବନ୍ଧକ ରଖିଥିଲେ ନୂଆପଡା ଧରମବନ୍ଧା ମଣ୍ଡିରେ ଧାନକୁ ଜଗିରହିଥିବା ଚାଷୀ ।

ଧାନ ମଣ୍ଡିରେ ବନ୍ଧା ପଡିଲେ ପେକ୍ସ ଅଧିକାରୀ । ସମବାୟ ସଂପାଦକଙ୍କୁ ଅଟକ ରଖିଲେ ଚାଷୀ । ଉତ୍ୟକ୍ତ ଚାଷୀ ବନ୍ଧକ ରଖିଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଫୋନ କରି ଜଣାଉଛନ୍ତି ସମବାୟ ସମିତି ସଂପାଦକ । ଦୀର୍ଘ ୪୦ ଦିନ ହେଲା ଏହିଭଳି ପ୍ରାୟ ୬ ହଜାର କ୍ୱିଂଟାଲ ଧାନକୁ ଜଗିରହିବା ପରେ ତାତି ଉଠିଛନ୍ତି ଚାଷୀ । ଶନିବାର ସଂଧ୍ୟାରେ ସେମାନଙ୍କ ସମସ୍ୟା ଜଣାଇବା ପାଇଁ ଡାକି ରାତି ପ୍ରାୟ ୧୧ଟା ଯାଏଁ ପେକ୍ସ ସେକ୍ରେଟାରୀଙ୍କୁ ବନ୍ଧକ ରଖିଥିଲେ ନୂଆପଡା ଧରମବନ୍ଧା ମଣ୍ଡିରେ ଧାନକୁ ଜଗିରହିଥିବା ଚାଷୀ ।

ଚାଷୀଙ୍କ ଅଭିଯୋଗ ଯେ, ଯେତିକି ପରିମାଣର ଧାନ ବିକ୍ରି ପାଇଁ ଟୋକନ ମିଳିଛି, ସେତିକି ପରିମାଣର ଧାନ ମଣ୍ଡିରେ କିବ୍ରି ହୋଇପାରି ନାହିଁ । ଧାର ଉଧାର କରି ଚାଷ କରିଥିଲେ । ଅମଳ ପରେ ମଣ୍ଡିରେ ବିକି କିଏ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବାକୁ ଯୋଜନା କରିଥିଲେ ତ ଆଉ କିଏ ବାହାଘର ଖର୍ଚ୍ଚ । ହେଲେ ଧାନ ଉଠାଇବାରେ ଅହେତୁକ ବିଳମ୍ବ ପରେ ଏହିଭଳି ଅସନ୍ତୋଷ ଜାହିର କରିଛନ୍ତି । ଉତ୍ୟକ୍ତ ଚାଷୀ ସମବାୟ ସମିତି ସଂପାଦକଙ୍କୁ ଅଟକ ରଖିଥିବା ଖବର ପାଇବା ପରେ ଧରମବନ୍ଧା ଥାନାକୁ ଜଣାଇଥିଲେ ଏଆରସିଏସ । ପୋଲିସ ସେଠାରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିବା ସହ ପେକ୍ସ ସେକ୍ରେଟାରୀଙ୍କୁ ମୁକୁଳାଇଥିଲା । ହେଲେ ତୁରନ୍ତ ବଳକା ଧାନ ନଉଠାଇଲେ ଚାଷୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।