ନନ୍ଦନକାନନରେ ନୂଆପଡାର ମଣିଷ ଖିଆ ବାଘ !

29

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଂଚିଲା ନୂଆପଡାରୁ ଧରା ପଡିଥିବା ମଣିଷ ଖିଆ କଲରା ପତରିଆ ବାଘ । ଧରା ପଡିବା ପରେ ରବିବାର ସନ୍ଧ୍ୟା ପ୍ରାୟ ସାଢେ ସାତଟା ବେଳେ ନୂଆପଡାର ବନ ବିଭାଗ କର୍ମଚାରୀ ମାନେ କଲରାପତରିଆ ବାଘଟିକୁ ଏକ ସ୍ୱତନ୍ତ୍ର ଯନ୍ତାରେ ଧରି ନନ୍ଦନକାନନରେ ପହଂଚିଛନ୍ତି । ଧରା ପଡିଥିବା କଲରା ପତରିଆ ବାଘଟିର  ପ୍ରାୟ ୮ ବର୍ଷ ବୟସର  । ନନ୍ଦନକାନନକୁ ଅଣାଯିବା ପରେ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେନଟାଇନରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ରଖାଯାଇଛି ।
ଗତ ୨ ମାସ ହେଲାଣି ନୂଆପଡାରେ କଲରାପତରିଆ ବାଘଟି ଆତଙ୍କ ସୃଷ୍ଟି କରିଥିଲା । ଛଅ ମାସର ଛୁଆକୁ ମା’ କୋଳରୁ ଟେକି ନେଇ ଖାଇ ଯାଇଥିଲା । ଅନେକଙ୍କୁ ଆକ୍ରମଣ କରି ଆହତ ମଧ୍ୟ କରିଥିଲା । ଶେଷରେ ବନ ବିଭାଗ ତାକୁ ଧରିବା ଲାଗି ସ୍ୱତନ୍ତ୍ର ଯନ୍ତା ବସାଇବା ପରେ ଶନିବାର ରାତିରେ ଧରା ପଡିଥିଲା । ନନ୍ଦନକାନନରେ ଥିବା ବର୍ଷା, ସୁରଜ, ବିଜୁ, ମଞୁ, ଅନିତା ଓ ମଙ୍ଗଳଙ୍କ ସହ ଧରା ହୋଇ ଆସିଥିବା କଲରା ପତରିଆ ବାଘଟିକୁ ମିଶାଇ ଏହି ପ୍ରଜାତୀର ସଂଖ୍ୟା ମୋଟ୍ ୭ ହୋଇଛି । କଲରା ପତରିଆ ବାଘଟି ସଂକ୍ରାନ୍ତିରେ ଆସିଥିବାରୁ ତା’ ନାମ କରଣ ଶଙ୍କରା ରଖାଯାଇ ପାରେ ବୋଲି କର୍ମଚାରୀମାନେ ଚର୍ଚ୍ଚା କରୁଛନ୍ତି ।