ମଣ୍ଡିରେ ଧାନ ବିକିବାରୁ ଦଣ୍ଡ : ନୂଆପଡା ଭାନପୁର ଗାଁରେ ଚାଷୀ ପରିବାରକୁ ସାମାଜିକ ବାସନ୍ଦ କଲା ଗାଁ କମିଟି

47

କନକ ବ୍ୟୁରୋ :  ନୂଆପଡା ଜିଲ୍ଲା ସଦର ବ୍ଲକ ଭାନପୁର ଗାଁର ବ୍ରିଜଲାଲ ରଣା ମଣ୍ଡିରେ ଧାନ ବିକ୍ରି କରି ଦଣ୍ଡ ଭୋଗୁଛନ୍ତି । ଗାଁ କମିଟି ନିର୍ଦ୍ଦେଶକୁ ଅବମାନନା କରି ପାରିଶ୍ରମିକ ପାଇଁ କୁଲିଆବନ୍ଧା ମଣ୍ଡିରେ ୪୬ କ୍ୱିଂଟାଲ ଧାନ ବିକ୍ରି କରି ବାସନ୍ଦ ଦଣ୍ଡ ଭୋଗୁଛନ୍ତି ବ୍ରିଜଲାଲଙ୍କ ପରିବାର । ଶତପ୍ରତିଶତ ସବସିଡି ଦାବିରେ ଭାନପୁର ଗ୍ରାମବାସୀ, ମଣ୍ଡରେ ଧାନ ବିକିବାକୁ ବାରଣ କରିଥିିଲେ ସୁଦ୍ଧା ପାରିଶ୍ରମିକ ଓ ଗାଡି ଋଣ ସୁଝିବା ପାଇଁ ବାଧ୍ୟ ହୋଇ ବ୍ରିଜଲାଲ କୁଲିଆବନ୍ଧା ମଣ୍ଡିରେ ଧାନ ବିକ୍ରି କରିଥିଲେ । ଯାହାର ପରିଣାମ ସୂରୁପ ତାଙ୍କୁ ସାମାଜିକ ବାସନ୍ଦ ଦଣ୍ଡ ଭୋଗିବାକୁ ପଡିଛି । ଗାଁ କମିଟିର ନିର୍ଦ୍ଦେଶ ନମାନି ମଣ୍ଡିରେ ଧାନ ବିକ୍ରି କରିବାରୁ ଗ୍ରାମବାସୀ ତାଙ୍କ ପରିବାରକୁ ଆର୍ଥିକ ଦଣ୍ଡ ଦେବା ସହ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।

ବ୍ରିଜଲାଲଙ୍କ ପରିବାର ପାଇଁ ଗାଁ ଦାଣ୍ଡ, ନିଆଁ, ପାଣି ସବୁ ବନ୍ଦ କରି ଦିଆଯାଇଛି । ଏମିତିକି ଏମାନଙ୍କ ସହ କଥା ହେଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଗାଁ କମିଟି ନିର୍ଦ୍ଦେଶ ଦେଇଛି । ଏନେଇ ପୀଡିତ ପରିବାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ତହସିଲଦାରଙ୍କୁ ଜଣାଇଛନ୍ତି । ଅନ୍ୟପଟେ ଗ୍ରାମବାସୀ ଏ ଘଟଣାକୁ ଅସ୍ୱୀକାର କରି କହିଛନ୍ତି ଯେ, କୌଣସି ପ୍ରକାର ବାସନ୍ଦ କରାଯାଇନାହିଁ । ମଣ୍ଡିରେ ଧାନ ବିକିବାରୁ ବାସନ୍ଦ ଘଟଣାରେ ପ୍ରତିକ୍ରିୟା ରଖି ନୂଆପଡା ତହସିଲଦାର କହିଛନ୍ତି ସବସିଡି ସହ ଧାନବିକ୍ରିର କୌଣସି ସାମଞ୍ଜସ୍ୟ ନାହିଁ । ଧାନବିକ୍ରିକୁ ନେଇ ଯଦି ବାସନ୍ଦ କରାଯାଇଛି ତେବେ ଏନେଇ ଅଭିଯୋଗ ଆସିଲେ ତଦନ୍ତ କରାଯିବ ।

ବ୍ରିଜଲାଲଙ୍କ ପରିବାରର କାହାଣୀ ସ୍ପଷ୍ଟ କରୁଛି ଆଜି ବି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଚାଲିଛି । ଏଠି ପ୍ରଶ୍ନ ଉଠୁଛି ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପରେ ଚାଷୀ ପରିବାରକୁ ସାମାଜିକ ବାସନ୍ଦ କରିବା ପାଇଁ ଗ୍ରାମବାସୀଙ୍କୁ ଅଧିକାର ଦେଲା କିଏ? ବ୍ରିଜଲାଲ ଯଦି ଧାନ ବିକ୍ରି କରିନଥାନ୍ତେ ତେବେ ସେ ଶ୍ରମିକଙ୍କୁ ପାରିଶ୍ରମିକ ଓ ଗାଡି ଋଣ ସୁଝିଥାନ୍ତେ କିଭଳି?