କନକ ବ୍ୟୁରୋ : ସମ୍ବଲପୁରରେ ମା ସମଲେଇଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁଖାଇଛନ୍ତି । ଆଉ ଦୂରଦୂରାନ୍ତରରେ ଥିବା ଲୋକମାନେ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଫେରିଛନ୍ତି । କିନ୍ତୁ ପାଣିକୁ ନେଇ ରାଜ୍ୟ ରାଜ୍ୟ ଭିତରେ ବିବାଦ ଚାଲିଥିଲେ ବି ନୂଆଁଖାଇର ଧୁମରେ ସବୁ ବିବାଦ ଫିକା ପଡିଯାଇଛି ।

ମହାନଦୀର ପାଣି କେଉଁ ରାଜ୍ୟର ଏହାକୁ ନେଇ ଓଡିଶା ଓ ଛତିଶଗଡ ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ପାଣି ବିବାଦକୁ ନେଇ ଦୁଇ ରାଜ୍ୟର ମୁଖିଆ ବି ଅନେକ ଯୁକ୍ତି ବାଢିଛନ୍ତି । ଯାହାଫଳରେ ଦୁଇ ରାଜ୍ୟର ନେତା ପରସ୍ପର ବିରୋଧରେ ବିଷୋଦଗାର କରିଛନ୍ତି । କିନ୍ତୁ ଏହାରି ଭିତରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ଛତିଶଗଡ ଲୋକ ବି ସାମିଲ ହୋଇଛନ୍ତି ।

ସମ୍ବଲପୁରରେ ଆଜି ନୂଆଁ ଖାଇବାକୁ ସୁଦୂର ଛତିଶଗଡରୁ ସଂପର୍କୀୟ ଚାଲିଆସିଥିଲେ । ଆଉ ରାଜ୍ୟ ରାଜ୍ୟ ଭିତରର ବିବାଦକୁ ଭୁଲି ସଂପର୍କୀୟଙ୍କ ସହ ନୂଆ ଖାଇଥିଲେ । ଆଉ ଏହାପରେ ଜୁହାର କାର୍ଯ୍ୟକ୍ରମ ଅନୁଯାୟୀ ସାନମାନେ ବଡମାନଙ୍କୁ ପ୍ରଣାମ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ଏହି ପର୍ବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସେହିପରି ସୁନ୍ଦରଗଡର ଓରାମ ଆଦିବାସୀ ସଂପ୍ରଦାୟରେ ନିଆରା ଢଂଗରେ ନୂଆଁଖାଇ ପାଳନ କରିଛନ୍ତି । ପାରମ୍ପରିକ ଗୀତ ଗାଇ ଜଂଗଲରୁ ଓରାମ ସଂପ୍ରଦାୟର ମହିଳାମାନେ ପତ୍ର ସଂଗ୍ରହ କରିଛନ୍ତି । ଆଉ ପତ୍ର ସହ ଜାଳେଣି କାଠ ବି ସଂଗ୍ରହ ଚାଲିଛି । କାହିଁକିନା ଘରେଯାଇ ପାଳନ କରିବେ ଗଣପର୍ବ ନୂଆଁଖାଇ । ପତ୍ର ସଂଗ୍ରହ ପରେ ନଦୀରୁ ଗାଧୋଇ ଘରକୁ ଫେରିଥିଲେ ଓ ଜଙ୍ଗଲରୁ ଆଣିଥିବା ପତ୍ରରେ ଖଲି ଦନା ତିଆରି କରିଥିଲେ । ଏହା ସହ ଢିଙ୍କିରେ ନୁଆ ଚାଉଳ ଚୁନା କରିବା ପରେ ଆରମ୍ଭ ହୋଇଥିଲା ପିଠାପଣାର ପ୍ରସ୍ତୁତି ।

ଏହାପରେ ଘରକୁ ସଫା କରିବା ସହ ସଜେଇ ଥିଲେ । ଘରର ପୁରୁଷ ଲୋକମାନେ ପୂଜା କରିଥିଲେ । କୁରେଇ ପତ୍ର ଏବଂ ପୂଜା ସାମଗ୍ରୀରେ ନିଜ ପିତୃ ପୁରୁଷଙ୍କୁ ନୂଆଧାନ ଓ ପିଠାପଣା ଲାଗିକରିବା ପରେ ହାଣ୍ଡିଆ ଲାଗି କରାଯାଇଥିଲା । ଆଦିବାସୀଙ୍କ ନିୟମ ଅନୁଯାଇ ପିତୃପୁରୁଷଙ୍କୁ ହାଣ୍ଡିଆ ଲାଗିକଲେ ସାତ ଜନମର ପାପରୁ ମୁକ୍ତି ମିଳିଥାଏ । ଏହାପରେ ନବାନ୍ନ ସମସ୍ତେ ଏକାଠି ଗ୍ରହଣ କରିଥିଲେ ।

ଏହି ହାଣ୍ଡିଆ ସମସ୍ତେ ପିଇ ସାରିଲାପରେ ଜୁହାର ଭେଟର ପରମ୍ପରା ଆରମ୍ଭ ହୋଇଥିଲା । ଏହାପରେ ପାରମ୍ପରିକ କର୍ମା ନୃତ୍ୟରେ ସମସ୍ତେ ନାଚି ମସଗୁଲ ହୋଇ ପଡିଥିଲେ । ଓରାମ ସଂପ୍ରଦାୟର ମହିଳାମାନେ ନୂଆଖାଇ ପାଳନ କରିବା ପାଇଁ ସାତଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଆଉ ପୁରାତନ ସଂସ୍କୃତିକୁ ଏବେ ବି ଏମାନେ ବଂଚାଇ ରଖିଛନ୍ତି ।