ଏନଟିପିସି ବଏଲର ବ୍ଲାଷ୍ଟ ଘଟଣା : ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ଶତାଧିକ ଆହତ

50

କନକ ବ୍ୟୁରୋ : ଉତ୍ତରପ୍ରଦେଶର ରାଏବରେଲିରେ ଥିବା ଏନଟିପିସିର ଏକ ପ୍ଲାଂଟ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବଏଲର ଫାଟିବା ଘଟଣାରେ ଏଯାଏଁ ୨୬ ଜଣଙ୍କର ମୃତ୍ୟୁ ହେଇଛି । ତେବେ ଗତକାଲି ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥା ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ରାଏବରେଲି ଓ ଲକ୍ଷ୍ନୌର ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ବ୍ରଏଲରରେ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଥିଲା । ଏହି ସମୟରେ ପାଖାପାଖି ୨୦୦ରୁ ଅଧିକ ଲୋକ କାମ କରୁଥିଲେ । ତେବେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ବଏଲର ବ୍ଲାଷ୍ଟ ନେଇ ଏନଟିପିସି ତଦନ୍ତ ଆରମ୍ଭ କରିଛି ।