ମହାନଦୀରେ ବ୍ୟାରେଜ ପରେ ଏନଟିପିସି ପ୍ରକଳ୍ପକୁ ବିରୋଧ : ପ୍ରତିବାଦରେ ମୋଦିଙ୍କୁ ଚିଠି ଲେଖିଲେ ନବୀନ

22

କନକ ବ୍ୟୁରୋ : ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ବିରୋଧ ପରେ ଏନଟିପିସିର ପ୍ରକଳ୍ପ ନିର୍ମାଣକୁ ବିରୋଧ। ଛତିଶଗଡର ଲାରାରେ ଏନଟିପିସି ପକ୍ଷରୁ ନିର୍ମାଣ ହେଉଥିବା ସୁପର ଥର୍ମାଲ ପାୱାର ପ୍ରକଳ୍ପକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୋଦିଙ୍କୁ ଲେଖିଥିବା ଚିଠିରେ ନବୀନ ଦର୍ଶାଇଛନ୍ତି, ଛତିଶଗଡରେ ଏହି ପ୍ରକଳ୍ପ ହେଲେ ଓଡିଶାର ୨୭ଟି ଗାଁ ପ୍ରଭାବିତ ହେବ। ଓଡିଶା ସୀମାଠାରୁ ମାତ୍ର ୨ କିଲୋମିଟର ଦୂରରେ ନ୍ୟାସନାଲ ଥର୍ମାଲ ପାୱାର ପ୍ଲାଂଟ ତାର ପ୍ରକଳ୍ପ ପ୍ରତିଷ୍ଠା କରୁଛି। ଫଳରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କଣ୍ଢେଇକେଲା, ରେମତା, କନକତୋରା, ଚାରପାଲି, ପିଠିନ୍ଦା, ବାଦିମାଲ ଆଦି ଗ୍ରାମପଂଚାୟତର ଗାଁ ଗୁଡିକ ପ୍ରଭାବିତ ହେବା ଆଶଙ୍କା ରହିଛି। ପ୍ରଭାବିତ ହେବାକୁଥିବା ଏହି ଗାଁଗୁଡିକରେ ଜନଶୁଣାଣି କରାଯାଇ ନଥିବାରୁ ଏହାକୁ ବିରୋଧ କରିଛି ଓଡିଶା।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହି ୨୭ଟି ଗାଁରେ ପରିବେଶ ଓ ଲେକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ଗତ ମେ ମାସରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଅବଗତ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ମନେପକାଇ ଦେଇଛନ୍ତି ନବୀନ।