ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ବର୍ଷକୁ ଦୁଇଥର ହେବ ନିଟ୍ ଓ ଜେଇଇ ଭଳି ପରୀକ୍ଷା, ଜାଣନ୍ତୁ କେଉଁ କେଉଁ ମାସରେ ହେବ ଏହି ପରୀକ୍ଷା

56

କନକ ବ୍ୟୁରୋ : ମେଡିକାଲ, ଇଂଜିନିଅରିଂରେ ପାଠପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସିଖବର । ଏଣିକି ପ୍ରତିବର୍ଷ ଦୁଇ ଦୁଇ ଥର ଆୟୋଜିତ ହେବ ଜେଇଇ, ନିଟ୍ ପରି ପରୀକ୍ଷା । ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏଥିସହ ନିଜ ରାଜ୍ୟ ଭିତରେ ହିଁ ପିଲାଏ ପରୀକ୍ଷା ଦେବାର ବ୍ୟବସ୍ଥା ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ।

ଆଗାମୀ ୨୦୧୯ ପାଇଁ ଜେଇଇ ଓ ନିଟ୍ ପରି ଜାତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ବର୍ଷକୁ ସେମାନେ ଦୁଇ ଥର ଏହି ପରୀକ୍ଷା ଦେଇପାରିବେ । ପୂର୍ବରୁ ଜାତୀୟ ସ୍ତରରେ ଏହି ସବୁ ପ୍ରବେଶିକା ପରୀକ୍ଷାର ଆୟୋଜନ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ – ସିବିଏସଇ କରୁଥିବା ବେଳେ ଏବେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି –ଏନଟିଏକୁ ଏହି ଦାୟିତ୍ୱ ଦିଆଯାଇଛି ।

ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ ଜେଇଇ ମେନ୍ସ ପରୀକ୍ଷା ଆୟୋଜିତ ହେବ । ଏହା ସହ ଫେବୃଆରୀ ଓ ମେ ମାସରେ ନିଟ୍ ପରୀକ୍ଷା କରିବା ପାଇଁ ନିଷ୍ପତି ହୋଇଛି । ଏହି ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ । କୌଣସି ଜିଲ୍ଲାରେ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ହେଲେ ସେଠାରେ ଏକ ପରୀକ୍ଷା କେନ୍ଦ୍ର କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ସମସ୍ତ ପରୀକ୍ଷା କମ୍ପ୍ୟୁଟର ଭତ୍ତିିକ ହେବ । ଏହା ସହ ପ୍ରତି ଦିନ ଓ ପ୍ରତି ପିଲାଙ୍କ ପାଇଁ ପ୍ରଶ୍ନ ପତ୍ର ଅଲଗା ଅଲଗା ରହିବ ବୋଲି ମନ୍ତ୍ରୀ ଜାଭଡେକର କହିଛନ୍ତି । ଏହା ସହ ସିଲାବସ୍, ପ୍ରଶ୍ନପତ୍ର ଫର୍ମାଟ, ଭାଷା ଓ ପରୀକ୍ଷା ଫିରେ କୌଣସି ପରିବର୍ତନ କରାଯାଇ ନାହିଁ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି ପରୀକ୍ଷାର ସମୟ ସୀମା ୪ରୁ ୫ ଦିନ ପର୍ଯ୍ୟନ୍ତ ରହିବ । ଛାତ୍ରଛାତ୍ରୀ ଏହି ୪ରୁ ୫ ଦିନ ମଧ୍ୟରୁ ପରୀକ୍ଷା ପାଇଁ ଯେକୌଣସି ତାରିଖ ବାଛି ପାରିବେ ।

ଜାନୁଆରୀ ୨୦୧୯ର ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଂଜୀକରଣ ଆସନ୍ତା ସେପ୍ଟେମ୍ବର ୧ରୁ ୩୦ ତାରିଖ ଯାଏଁ ଚାଲିବ । ଏହାର ପରୀକ୍ଷାଫଳ ଫେବୃଆରୀ ୨୦୧୯ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ସେହିପରି ମେଡିକାଲରେ ନାମଲେଖା ପାଇଁ ଫେବୃଆରୀ ୨୦୧୯ରେ ହେବାକୁ ନିଟ୍ ପାଇଁ ଆସନ୍ତା ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପଂଜୀକରଣ ହେବ ।