NSUIରୁ ଇତିଶ୍ ନିଲମ୍ବିତ । ସଂଗଠନରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ପ୍ରାଥମିକ ସଦସ୍ୟ ପଦରୁ ବିଦା ହେଲେ NSUI ରାଜ୍ୟ ଆବାହକ ଇତିଶ୍ ପ୍ରଧାନ ।

495

କନକ ବ୍ୟୁରୋ: ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ (ଏନଏସୟୁଆଇ)ରୁ ବହିଷ୍କୃତ ହେଲେ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ । ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କୁ ଏନଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କାର କରିଛନ୍ତି ଏନଏସୟୁଆଇର ଜାତୀୟ ସମ୍ପାଦକ ମୋଥା ରେହିତ୍ ।

ତେବେ ନିକଟରେ ଇତିଶ୍ ସଂଗଠନରେ ବିଶୃଙ୍ଖଳା କରୁଥିବା ନେଇ ରାଜ୍ୟ ଏନଏସୟୁଆଇରୁ ଦିଲ୍ଲୀ ଦରବାରକୁ ଅଭିଯୋଗ ଯାଇଥିଲା । ଏପରିକି କିଛି ଛାତ୍ର ନେତାଙ୍କୁ ନେଇ ଦଳ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ ମଧ୍ୟ ଇତିସଙ୍କ ନାଁରେ ରହିଥିବା ସଂଗଠନ ସୂତ୍ରରୁ ଖବର ମିଳିଛି । ତେଣୁ ଛାତ୍ର କଂଗ୍ରେସ ବା ଏନଏସୟୁଆଇର ଜାତୀୟସ୍ତରରେ ଏହା ମୁଣ୍ଡବିନ୍ଧା କରିଛି । ତେଣୁ ତୁରନ୍ତ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏନଏସୟୁଆଇର ଜାତୀୟ ସମ୍ପାଦକ ।

ସବୁଠାରୁ ବଡ଼କଥା ହେଲା କି, ଛାତ୍ର କଂଗ୍ରେସ ସଂଗଠନରେ ବିଶୃଙ୍ଖଳିତ ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବନି ବୋଲି ଇତିଶଙ୍କ ବହିଷ୍କାରରୁ ବାରି ହୋଇ ପଡୁଛି । ଅନ୍ୟପଟେ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବାକୁ ଶକ୍ତି ଗୋଟାଉଥିବା ହାତ ଯେତେବେଳେ ଛାତ୍ର ନେତା ଓ ଯୁବକଙ୍କୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର୍ ହେବାକୁ ବଳ କଷୁଛି, ଠିକ୍ ସେତିକିବେଳେ ସଂଗଠନରେ ଏଭଳି ବିଶୃଙ୍ଖଳିତ ଛାତ୍ରନେତାଙ୍କୁ ବିଦା କରି ସ୍ୱଚ୍ଛଭାବମୂର୍ତ୍ତି ତିଆରି କରିବାକୁ ଉଦ୍ୟମ କରୁଥିବା କହିଛନ୍ତି ରାଜନୈତିକ ବିଶେଷଜ୍ଞ ।