ରମାଦେବୀରେ ପ୍ରାର୍ଥୀ ଦେଲା ଛାତ୍ର କଂଗ୍ରେସ ! ଏବେ କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ

30

କନକ ବ୍ୟୁରୋ : ରମାଦେବୀରେ ପ୍ରାର୍ଥୀ ଦେଲା ଛାତ୍ର କଂଗ୍ରେସ । ଆଜି ସଭାପତି ପ୍ରାର୍ଥୀ ଭାବେ ଶୁଶ୍ରୀ ସଂଗୀତା ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଛି । ମହିଳା ବିଶ୍ୱ ବିଦ୍ୟାଳୟରେ ଏବିଭିପି ଓ ଛାତ୍ର ବିଜେଡିକୁ ମାତ ଦେଇ ଛାତ୍ର କଂଗ୍ରେସ ବିଜୟ ହାସଲ କରିବ ବୋଲି ଆଶା ରଖିଛି ଏହି ଛାତ୍ର ସଂଗଠନ ।

ଶେଷରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଦେଇଛି ଛାତ୍ର କଂଗ୍ରେସ । ଯୁକ୍ତ ତିନି ଶେଷବର୍ଷ ଛାତ୍ରୀ ଶୁଶ୍ରୀ ସଂଗୀତାଙ୍କୁ ପ୍ରାର୍ଥୀ କରି ବିଜୟୀ ହେବ ବୋଲି ଛାତ୍ର କଂଗ୍ରେସ ଆଶା ରଖିଛି । ପୂର୍ବରୁ ଛାତ୍ର ବିଜେଡି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ଦେଇସାରିଛି କ୍ୟାମ୍ପସରେ । ତେବେ ପ୍ରଥମ ଥର ପାଇଁ ଛାତ୍ର କଂଗ୍ରେସ ବ୍ୟାନରେ ପ୍ରାର୍ଥୀ ହୋଇଥିବା ଶୁଶ୍ରୀ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତିି ।

ଏହାସହ ଦୃଷ୍ଟିହୀନ ଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ସମସ୍ୟା ହେଉଛି ତାହାକୁ ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି ଜୋର ଦେଇଛନ୍ତି ସେ । ଗତକାଲି ସଂଧ୍ୟାରେ କ୍ୟାମ୍ପସ ବାହାରେ ତାଙ୍କର ବ୍ୟାନର ଲାଗିଥିବା ବେଳେ ଆଜି ଠାରୁ କ୍ୟାମ୍ପେନିଂ ଆରମ୍ଭ ହୋଇଛି । ସେପଟେ ଖୁବଶୀଘ୍ର ଅନ୍ୟପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି ।

ଛାତ୍ର ସଂସଦ ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଦିନ ମଧ୍ୟରେ ପିଜି ଛାତ୍ରୀ ସୌଭାଗ୍ୟ ସୌମାଶ୍ରୀ ସାମଲଙ୍କୁ ପ୍ରାର୍ଥୀ କରିଥିଲା ଛାତ୍ର ବିଜେଡି । ପରେ ପରେ ତନ୍ମୟୀ ହୋତାଙ୍କୁ ଏବିଭିପି ପ୍ରାଥୀ କରିଥିଲା । ଏବେ ଶୁଶ୍ରୀ ସଂଗୀତା ପ୍ରାର୍ଥୀ ହେବା ପରେ କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ ହେବା ଥୟ ହୋଇଛି ।