କାଶ୍ମୀରଘାଟିରେ ପହଁଚିଲେ ଏନଏସଜି କମାଣ୍ଡୋ : ପୁଲିସ୍, ସିଆରପିଏଫକୁ ଦେବେ ତାଲିମ, ଅମରନାଥ ଯାତ୍ରା ଓ ଆତଙ୍କୀ ମିସନରେ ନେବେ ଗୁରୁତ୍ୱପୂର୍ଣ୍ଣ ଭୂମିକା

33

କନକ ବ୍ୟୁରୋ : କାଶ୍ମୀରଘାଟିକୁ କବଜାକୁ ନେବେ ଏନଏସଜି କମାଣ୍ଡୋ । ଜାମ୍ମୁ-କାଶ୍ମୀର ପୁଲିସକୁ ତାଲିମ ଦେବା ସହ ସୁରକ୍ଷା ଭାର ମଧ୍ୟ ଏନଏସଜି କମାଣ୍ଡୋଙ୍କ ହାତରେ ରହିବ । ଉଚ୍ଚ ତାଲିମପ୍ରାପ୍ତ ଏହି କମାଣ୍ଡୋ, ପୁଲିସ ବ୍ୟତୀତ ସିଆରପିଏଫ୍ ଯବାନଙ୍କୁ ମଧ୍ୟ ତାଲିମ ଦେବେ । କାଶ୍ମୀରର ଅତ୍ୟନ୍ତ ଆତଙ୍କୀପ୍ରବଣ ଇଲାକାରେ ଏମାନଙ୍କୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି । ଆଂଟି ଟେରର୍ ଅପରେସନରେ ଏହି କମାଣ୍ଡୋ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ରାଡାର ସହ ଘାଟିରେ ଅପରେସନ୍ ଚଳାଇବେ ଏନଏସଜି କମାଣ୍ଡୋ । ସେନା ଓ ପୁଲିସ ସହ ମିଶି ସ୍ୱତନ୍ତ୍ର ଅପରେସନରେ ସାମିଲ ହେବେ ଏହି କମାଣ୍ଡୋ । ଏହାସହ ଅପରେସନ୍ ଅଲଆଉଟ ବି ଆହୁରୀ ବ୍ୟାପକ ହେବ ବୋଲି ଜଣାପଡିଛି । ଅତ୍ୟାଧୁନିକ ଏମପି ଫାଇଭ୍ ବନ୍ଧୁକ ତଥା ସ୍ନାଇପର୍ ରାଇଫଲ୍ ସହ ଏହି କମାଣ୍ଡୋ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମିସନରେ ସଫଳ ଭୂମିକା ନେଇଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଧାରୀ ଏହି କମାଣ୍ଡୋଙ୍କୁ କାଶ୍ମୀର ଘାଟିରେ ମୁତୟନ କରିବା ସରକାରଙ୍କ ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି ।

୧୯୮୪ରେ ଅପରେସନ ବ୍ଲୁଷ୍ଟାର ଓ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ନ୍ୟାସନାଲ ସିକ୍ୟୁରିଟଇ ଗାର୍ଡ ବା ଏରଏସଜିର ଗଠନ କରାଯାଇଥିଲା । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଏନଏସଜି ଗଠନ କରାଯାଇଥିଲା । ଏମାନଙ୍କୁ ବ୍ଲାକ କ୍ୟାଟ କମାଣ୍ଡୋ ବୋଲି ମଧ୍ୟ କୁହାଯାଏ । ଆସନ୍ତୁ ଜାଣିବା କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ଏନଏସଜିକୁ ସଫଳତା ମିଳିଛି ।

ଅପରେସନ୍ ବ୍ଲାକ ଥଣ୍ଡର (୧), ୨୯-୩୦ ଏପ୍ରିଲ, ୧୯୮୬
ସ୍ୱର୍ଣ୍ଣ ମନ୍ଦିରରେ ଲୁଚି ରହିଥିବା ଉଗ୍ରବାଦୀଙ୍କୁ ନିପାତ କରିଥିଲେ ଏନଏସଜି କମାଣ୍ଡୋ ।

ଅପରେସନ୍ ବ୍ଲାକ ଥଣ୍ଡର (୨), ୧୨ମେ’, ୧୯୮୮
ଏନଏସଜିର ସ୍ନାଇପର ଟିମ୍ ସ୍ୱର୍ଣ୍ଣ ମନ୍ଦିରରେ ୩ଶହ ଫୁଟ ଉଚ୍ଚରେ ଥିବା ପାଣି ଟାଙ୍କିରେ ପୋଜିସନ୍ ନେଇ ଲୁଚିରହିଥିବା ଉଗ୍ରବାଦୀଙ୍କୁ ନିପାତ କରିଥିଲେ ।

ରାଜୀବ ଗାନ୍ଧୀଙ୍କ ହତ୍ୟା, ୧୯୯୧
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ୧ଜୁଲାଇରୁ ୨୦ସେପ୍ଟେମ୍ବର ୧୯୯୧ ପର୍ଯ୍ୟନ୍ତ ସର୍ଚ୍ଚ ଓ ଷ୍ଟ୍ରାଇକ ମିଶନ ପାଇଁ ଏସଆଇଟି ସହ ନିୟୋଜିତ ହୋଇଥିଲେ ଏନଏସଜି ।

ବାବ୍ରୀ ମସଜିଦ୍ ଧ୍ୱସଂ, ୨୫ନଭେମ୍ବର-୧୬ଡିସେମ୍ବର, ୧୯୯୨
ବିବାଦୀୟ ବାବ୍ରୀ ମସଜିଦ ଧ୍ୱସଂ ଘଟଣା ପରେ ପରିସ୍ଥିତିକୁ କାବୁ କରିବା ପାଇଁ ୧୯୯୨ ୨୫ନଭେମ୍ବରରୁ ୧୬ଡିସେମ୍ବର, ଯାଏଁ ୧୬୦ ଏନଏସଜି କମାଣ୍ଡୋକୁ ନିୟୋଜିତ କରାଯାଇଥିଲା ।

ଅପରେସନ୍ ଅଶ୍ୱମେଧ, ୨୪-୨୫ଏପ୍ରିଲ, ୧୯୯୩
ଇଣ୍ଡିଆନ ଏୟାରଲାଇନ୍ସର ବିମାନ ବୋଇଂ ୭୩୭ ହାଇଜ୍ୟାକ ହେବା ପରେ ଅପରେସନ୍ ଅଶ୍ୱମେଧ ଆରମ୍ଭ କରିଥିଲା ଏନ୍ଏସଜି ।

କଶ୍ମୀର ବନ୍ଧକ ପ୍ରସଙ୍ଗ, ୨୧ ଅଗଷ୍ଟ, ୧୯୯୯
ଜାମ୍ମୁ କାଶ୍ମୀରରେ ପ୍ରାୟ ୩୦ଘଂଟା ଧରି ବନ୍ଧକ ଥିବା ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ୨ଆତଙ୍କବାଦୀଙ୍କୁ ନିହତ କରିଥିଲେ ଏନ୍ଏସଜି ।

ଅକ୍ଷରଧାମ ମନ୍ଦିର ଆକ୍ରମଣ, ୨୦୦୨
ଗୁଜରାଟ ଅକ୍ଷରଧାମ ମନ୍ଦିରରେ ଲୁଚି ରହିଥିବା ୨ଆତଙ୍କବାଦୀକୁ ନିପାତ କରି ଅପରେସନକୁ ସଫଳ କରିଥିଲେ ଏନଏସଜି ।

ମୁମ୍ବାଇ ଆକ୍ରମଣ, ୨୯ନଭେମ୍ବର, ୨୦୦୮
ମୁମ୍ବାଇର ବିଭିନ୍ନ ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏନଏସଜି, ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ ଓ ଅପରେସନ୍ ସାଇକ୍ଲୋନ ଆରମ୍ଭ କରି ଆତଙ୍କୀଙ୍କୁ ନିହତ କରିଥିଲା ।

ପଠାଣକୋଟ ଆକ୍ରମଣ, ୨୦୧୬
ପଠାଣକୋଟ ଏୟାର ଫୋର୍ସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ଆତଙ୍କୀଙ୍କୁ ନିପାତ କରି ସଫଳତାର ସହ ଅପରେସନ ଶେଷ କରିଥିଲା ଏନ୍ଏସଜି । କାଶ୍ମୀରଘାଟିରେ ଆତଙ୍କବାଦର ମୂଳପୋଛ କରିବା ଦିଗରେ ଏହି ଏନ୍ଏସଜି କମାଣ୍ଡୋ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।