ଆଜି ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କନରାଡ ସାଙ୍ଗମା ! ସେପଟେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଚୟନ ନେଇ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

1

କନକ ବ୍ୟୁରୋ : ଆଜି ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୂର୍ବତନ ଲୋକସଭା ବାଚସ୍ପତି ପିଏ ସାଙ୍ଗମାଙ୍କ ପୁଅ ତଥା ଏନପିପି ନେତା କନରାଡ ସାଙ୍ଗମା । ତାଙ୍କସହ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବା ସମ୍ଭାବନା ରହିଛି । ମେଘାଳୟରେ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଥିବାବେଳେ ରାଜଭବନରେ ନୂଆ ସରକାରଙ୍କ ଶପଥଗ୍ରହଣ ସମାରୋହ ହେବ । କନରାଡଙ୍କ ପଛରେ ୩୪ ବିଧାୟକଙ୍କ ସମର୍ଥନ ରହିଛି । ବିଜେପି ସମେତ ଅଣ-କଂଗ୍ରେସ ଦଳଗୁଡିକ ଏକାଠି ହୋଇ ମେଘାଳୟରେ ସରକାର ଗଠନ କରିବାକୁ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ଦାବି କରିଥିଲେ । ଆଗାମୀ ୧୬ ତାରିଖ ସୁଦ୍ଧା କନରାଡଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ।

ସେହିପରି ତ୍ରିପୁରାରେ କିଏ ହେବ ବିଜେପି ଓ ସହଯୋଗୀ ଆଇପିଏଫଟି ମେଂଟର ମୁଖ୍ୟମନ୍ତ୍ରୀ ସେନେଇ ଆଜି ନିଷ୍ପତି ହେବା ସମ୍ଭାବନା ରହିଛି । ଏଥିଲାଗି ଆଜି ରାଜ୍ୟ ଅତିଥୀ ଭବନରେ ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କ ସହ ଜୁଏଲ ଓରାମ ମଧ୍ୟ ସାମିଲ ହେବା ସୂଚନା ରହିଛି । ତ୍ରିପୁରା ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ଲାଗି ପ୍ରମୁଖ ଦାବିଦାର ଥିବା କୁହାଯାଉଛି । ତ୍ରିପୁରା ବିଧାନସଭା ନିର୍ବାଚନରେ ୫୯ଟି ସିଟ ଲାଗି ଭୋଟ ପଡିଥିବାବେଳେ ବିଜେପି ୩୫ଟିରେ ଓ ମେଂଟ ସହଯୋଗୀ ଆଇପିଏଫଟି ୮ଟିରେ ବିଜୟୀ ହୋଇଛନ୍ତି । ମାର୍ଚ୍ଚ ୮ ତାରିଖରେ ସ୍ୱାମୀ ବିବେକାନନ୍ଦ ମୈଦାନରେ ନୂଆ ସରକାର ଶପଥ ନେବା ସମ୍ଭାବନା ରହିଛି । ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

Comments are closed.