କଳାଧନ ଲଢ଼େଇରେ ବଡ଼ ସଫଳତା ! ଆପେ ମିଳିବ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ

36

କନକ ବ୍ୟୁରୋ : କଳାଧନ ଜମାକାରୀଙ୍କ ପାଇଁ ସ୍ୱିସ୍‌ ବ୍ୟାଙ୍କ ଆଉ ସ୍ୱର୍ଗ ହୋଇ ରହିବ ନାହିଁ । ଯେଉଁ ଭାରତୀୟମାନେ ନିଜର କଳାଧନକୁ ନେଇ ସ୍ୱିସ୍‌ ବ୍ୟାଙ୍କରେ ଲୁଚାଇ ରଖୁଥିଲେ ସେମାନେ ସବୁ ଧରାପଡ଼ିବେ । ସେମାନଙ୍କ ମୁଖା ଖୋଲିଯିବ । ସ୍ୱିସ୍‌ ବ୍ୟାଙ୍କରେ ଗୋପନୀୟତା ଯୁଗ ଶେଷ ହେବାକୁ ଯାଉଛି। ୨୦୧୯ ସେପ୍ଟେମ୍ବରଠାରୁ ଭାରତକୁ ସ୍ୱିଜରଲ୍ୟାଣ୍ଡ୍‌ ପକ୍ଷରୁ ସ୍ୱିସ୍‌ ବ୍ୟାଙ୍କ କାରବାର ତଥ୍ୟ ପ୍ରଦାନ କରାଯିବ ।

ଆପେ ଆପେ ଏହି ତଥ୍ୟ ମିଳିବ । ୨୦୧୮ର ସୂଚନା ୨୦୧୯ରେ ମିଳିବ । ଭାରତ ଏବଂ ଅନ୍ୟ ୪୦ଟି ଦେଶ ସହିତ ସ୍ୱୟଂକ୍ରିୟ ସୂଚନା ଆଦାନ ପ୍ରଦାନ ପାଇଁ ସ୍ୱିଜରଲ୍ୟାଣ୍ଡ୍‌ ବୁଝାମଣା କରିଥିଲା । ସେହି ବୁଝାମଣାକୁ ସ୍ୱିଜରଲ୍ୟାଣ୍ଡ୍ ମନ୍ତ୍ରିମଣ୍ଡଳ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ଚୁକ୍ତି ଅନୁଯାୟୀ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ସ୍ୱୟଂକ୍ରିୟ ଭାବେ ବିଭିନ୍ନ ରାଷ୍ଟ୍ରକୁ ମିଳିବ ।

ଏବେ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ହାସଲ କରିବା ପାଇଁ ବିଭିନ୍ନ ରାଷ୍ଟ୍ରକୁ ସ୍ୱିଜରଲ୍ୟାଣ୍ଡ୍‌ ନିକଟରେ ଆଗୁଆ ଆବେଦନ କରିବାକୁ ପଡ଼ୁଛି । ତେବେ ସୂଚନା ଆଦାନ ପ୍ରଦାନ ଚୁକ୍ତି ଅନୁଯାୟୀ ସବୁ ରାଷ୍ଟ୍ରକୁ ସୂଚନାଗୁଡ଼ିକର ଗୋପନୀୟତାକୁ ନିଶ୍ଚିତ କରିବାକୁ ପଡ଼ିବ। କୌଣସି ପରିସ୍ଥିତିରେ ସୂଚନାର ଅପବ୍ୟବହାର କରାଯାଇପାରିବ ନାହିଁ।

କିଛି ବର୍ଷ ହେଲାଣି କଳାଧନ ଭାରତରେ ଏକ ସାର୍ବଜନୀନ ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତଙ୍କର ଏକ ବିଶ୍ୱାସ ରହିଛି ଯେ ଭାରତୀୟମାନେ ସ୍ୱିସ୍‌ ବ୍ୟାଙ୍କରେ ସବୁ କଳାଧନ ଲୁଚାଇ ରଖିଛନ୍ତି । ଯଦିଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତବର୍ଷ କୁହାଯାଇଥିଲା ଯେ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟମାନଙ୍କର କେତେ କଳାଧନ ରହିଛି ତାହାର କୌଣସି ନିର୍ଦ୍ଦିଷ୍ଟ ହିସାବ ନାହିଁ ।

ଟିକସ ଠକେଇ କରି କିମ୍ବା ମନି ଲଣ୍ଡରିଂ ଜରିଆରେ ବିଦେଶରେ ଯେଭଳି କଳାଧନ ଲୁଚାଇ ନ ହେବ ତାହାକୁ ନିଶ୍ଚିତ କରିବା ପାଇଁ ସ୍ୱୟଂକ୍ରିୟ ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । କେଉଁ ଭଳି ଭାବେ ବ୍ୟାଙ୍କିଙ୍ଗ ସୂଚନା ଆଦାନ ପ୍ରଦାନ ହେବ ତାହାର ମାନଦଣ୍ଡ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ ବିକଶିତ କରାଯାଇଛି ।

୨୦୧୯ରେ ପ୍ରଥମ ପର୍ଯ୍ୟାୟ ସୂଚନା ପ୍ରଦାନ କରାଯିବା ପରେ ସ୍ୱିଜରଲ୍ୟାଣ୍ଡ୍‌ ପକ୍ଷରୁ ସ୍ଥିତିର ସମୀକ୍ଷା କରାଯିବ । ସୂଚନା ଆଦାନ ପ୍ରଦାନ ପାଇଁ ଯେଉଁ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ତାହାକୁ ବିଭିନ୍ନ ରାଷ୍ଟ୍ର ଠିକ୍‌ ଭାବେ ପାଳନ କରୁଛନ୍ତି ନା ନାହିଁ ତାହା ଉପରେ ମଧ୍ୟ ସ୍ୱିଜରଲ୍ୟାଣ୍ଡ୍‌ ନଜର ରଖିବ । ବିଶେଷ କରି ସୂଚନାର ବିଶ୍ୱସନୀୟତା ଏବଂ ନିରାପତ୍ତା ବଜାୟ ରଖିବାକୁ ନିଶ୍ଚିତ କରିବାକୁ ହେବ ।

ଉଲ୍ଲେଖଯୋଗ୍ୟ, କଳାଧନକୁ ନେଇ ଭାରତ ସରକାର କିଛି ବର୍ଷ ହେଲାଣି ସବୁ ସ୍ତରରେ ଜୋରଦାର ଉଦ୍ୟମ କରୁଛନ୍ତି । କଳାଧନ ଜମାକାରୀଙ୍କ ସ୍ୱର୍ଗ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ହାସଲ କରିବା ପାଇଁ ଭାରତ ଅନେକ ଆନ୍ତର୍ଜାତିକ ମଞ୍ଚରେ ନିଜର ଦାବି ଉପସ୍ଥାପନ କରୁଥିଲା । ବିଦେଶରେ ଥିବା କଳାଧନ ସମସ୍ୟା ସମାଧାନ ପାଇଁ ସରକାର ଏକ ନିୟମ ଲାଗୁ କରିଛନ୍ତି । ନିର୍ଦ୍ଦିଷ୍ଟ ପରିମାଣର ଟିକସ ଏବଂ ଜରିମାନା ଦେଇ ବିଦେଶରେ ଥିବା କଳାଧନକୁ ସ୍ୱଚ୍ଛ କରିବାର ସୁଯୋଗ ଲୋକମାନଙ୍କୁ ଏହି ନିୟମ ଜରିଆରେ ପ୍ରଦାନ କରାଯାଇଛି ।