ଏଣିକି ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ଏସଏମଏସ୍

23

କନକ ବ୍ୟୁରୋ: ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ୍ ଯଦି ଘଣ୍ଟାଏରୁ ଅଧିକ ସମୟ ବିଳମ୍ବ ହୁଏ ତାହେଲେ ଏହାର ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଏସଏମଏସ୍ ପଠାଯିବ । ଶନିବାରଠାରୁ ନୂଆ ବ୍ୟବସ୍ଥାକୁ ରେଳବାଇ କାର୍ଯ୍ୟକାରୀ କରିଛି ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏବେ ଉପରୋକ୍ତ ଦୁଇଟି ଟ୍ରେନର ଯାତ୍ରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ କରାଯାଇ ଥିବାବେଳେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଅନ୍ୟ ଟ୍ରେନଗୁଡ଼ିକର ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ସୁବିଧା ଆରମ୍ଭ ହେବ ବୋଲି ଜଣାଯାଇଛି ।

ଏବେ ପ୍ରତୀକ୍ଷା ତାଲିକାରେ ଥିବା ଯାତ୍ରୀଙ୍କୁ ବର୍ଥ ମିଳିଗଲେ ଏସଏମଏସ୍ ପଠାଇବା ବ୍ୟବସ୍ଥା ରହିଛି । ଯାତ୍ରୀମାନଙ୍କୁ ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ସଂରକ୍ଷଣ ସ୍ଲିପରେ ସେମାନଙ୍କ ମୋବାଇଲ ନମ୍ବର ଉଲ୍ଲେଖ କରିବାକୁ ହେବ । ପ୍ରଥମେ କେତେକ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ଏହି ସେବାର ପରୀକ୍ଷା କରାଯାଇ ଦେଖାଦେଇଥିବା ତ୍ରୁଟି ଗୁଡ଼ିକୁ ଠିକ୍ କରାଯାଇଛି ।