ବହୁଅଧିକ ତାପମାତ୍ରାରେ ବି ଅଗ୍ନିଶମ ବିଭାଗ କରିପାରିବ ଉଦ୍ଧାରକାର୍ଯ୍ୟ ! ପ୍ରତି ଫାୟାର ୟୁନିଟକୁ ମିଳିବ ୬ ପୋଷାକ

ଏଣିକି ବଡ଼ ଧରଣର ଅଗ୍ନିକାଣ୍ତରେ ଫସିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ବିଶେଷ ଅସୁବିଧା ହେବ ନାହିଁ

62

କନକ ବ୍ୟୁରୋ : ଏଣିକି ବଡ଼ ଧରଣର ଅଗ୍ନିକାଣ୍ତରେ ଫସିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ବିଶେଷ ଅସୁବିଧା ହେବ ନାହିଁ। ୬୦୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବି ଅଗ୍ନି ପ୍ରତିରୋଧ ପୋଷାକ ପିନ୍ଧି ଅଗ୍ନିଶମ ଅଧିକାରୀ ଧନ ଜୀବନ ରକ୍ଷା କରିବାରେ ସଫଳ ହୋଇପାରିବେ। ବିଭାଗ ପକ୍ଷରୁ ମୋଟ ୩ ହଜାର ୫୦୦ ପୋଷାକ କିଣିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ପ୍ରତି ପୋଷାକ ପିଛା ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି। ସରକାରଙ୍କ ଅନୁମୋଦନ ମିଳିବା ପରେ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯିବ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଏବେ ମୋଟ ୩୩୫ ଅଗ୍ନିଶମ କେନ୍ଦ୍ରରେ ପ୍ରାୟ ୪୦୦ ଫାୟାର ୟୁନିଟ କାର୍ଯ୍ୟ କରୁଛି। ପ୍ରତି ଫାୟାର ୟୁନିଟରେ ଗୋଟିଏ ଦମକଳ ଗାଡ଼ି, ଜଣେ ଫାୟାର ଅଫିସର, ଦୁଇ ଜଣ ଲିଡି˚ ଫାୟାର ମ୍ୟାନ୍, ୧୦ ଜଣ ଫାୟାର ମ୍ୟାନ୍ ଏବ˚ ଦୁଇ ଜଣ ଡ୍ରାଇଭର କାର୍ଯ୍ୟ କରୁଛନ୍ତି। ତେଣୁ ଗୋଟିଏ ୟୁନିଟକୁ ମୋଟ ୬ଟି ପୋଷାକ ଯୋଗାଇବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟେକ୍ନିକାଲ୍ କମିଟି ପୋଷାକର ଯାଞ୍ଚ କାର୍ଯ୍ୟ ଶେଷ କରିଛି।

ଏଥିପାଇଁ ଏକ ଘରୋଇ ସ˚ସ୍ଥାକୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ଏହି ଅଗ୍ନି ପ୍ରତିରୋଧ ପୋଷାକ ପିନ୍ଧି ଜଣେ ଅଗ୍ନିଶମ ଅଧିକାରୀ ନିଆଁ ଭିତରେ ସର୍ବାଧିକ ୬୦୦ ଡିଗ୍ରୀ ତାପମାତ୍ରା ସହ୍ୟ କରି ସୁରକ୍ଷିତ ରହିପାରିବେ। ଜଳନ୍ତା କୋଠାରେ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ। ଏଠାରେ ସୂଚନାଯୋଗ୍ୟ ଯେ, ଗୋଟିଏ ସ˚ସ୍ଥାକୁ ପୋଷାକ ଯୋଗାଇବା ପାଇଁ ପୂର୍ବରୁ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ସେହି ସଂସ୍ଥାକୁ ମୁମ୍ବାଇର ସିଡକୋ ଫାୟାର ସର୍ଭିସ ଦ୍ୱାରା ବ୍ଲାକ ଲିଷ୍ଟ କରାଯାଇଥିଲା । ତେବେ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ବାତିଲ ହୋଇଥିଲା । ତେବେ ଏହି କାରଣ ପାଇଁ ଖରିଦ ପ୍ରକ୍ରିୟା ବିଳମ୍ବ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।