ଗଞ୍ଜାମ ଚମାଣଖଣ୍ଡିରେ ରାତିଅଧିଆ ଏନକାଣ୍ଟଟର । ପୋଲିସ ଗୁଳିରେ ଦୁଇ ହାର୍ଡକୋର କ୍ରିମିନାଲ ଆହତ । ଉଭୟଙ୍କ ନିକଟରୁ ବନ୍ଧୁକ ସହ ମାରଣାସ୍ତ୍ର ଜବତ

25

କନକ ବ୍ୟୁରୋ: ଗଞ୍ଜାମ ଚମାଖଣ୍ଡିରେ ରାତି ଅଧିଆ ଏନକାଂଉଟର । ପୋଲିସ ଗୁଳିରେ ଦୁଇ ହାର୍ଡକୋର କ୍ରିମିନାଲ ଆହତ । ବିଳମ୍ବିତ ରାତି ପ୍ରାୟ ୨ଟାରେ ହୋଇଛି ଏହି ଏନକାଂଉଟର । ଚମାଖଣ୍ଡି ଥାନା କାନମାନ ଗାଁ ନିକଟରେ ପୋଲିସ ସହ ଏହି ଅପରାଧୀ ମାନେ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଅପରାଧୀଙ୍କ ଡାହାଣ ଗୋଡରେ ଗୁଳି ବାଜିଛି ।

ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଆହତ ଦୁଇ ଅପରାଧୀ ହେଲେ ପୋଲସରାର ମନୋଜ ସାହୁ ଏବଂ ଖୋର୍ଦ୍ଧା କାଇପଦର ଅଂଚଳର ବିଶ୍ୱଜିତ ବାରିକ ଓରଫ ମୁନା । ଏହି ଦୁଇଜଣଙ୍କର ଖୋର୍ଦ୍ଧା ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି । ଅପରାଧୀଙ୍କ ଠାରୁ ୨ଟି ବନ୍ଧୁକ, ୪ଟି ଅଫୁଟା ଗୁଳି ସହ ଏକ ସ୍ୱିଫ୍ଟ ଗାଡି ଓ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି ।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଚମାଖଣ୍ଡି ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳର ମନୋଜ ସାହୁ ଓ ଖୋର୍ଦ୍ଧା ଜିଲ୍ଲା କାଇପଦର ଗ୍ରାମର ବିଶ୍ୱଜିତ ବାରିକ ଓରଫ ମୁନା ଏକ ସ୍ୱିଫ୍ଟ କାର ଯୋଗେ ଚମଖଣ୍ଡି ଥାନା ଅନ୍ତର୍ଗତ କଣମନା ଗାଁ ନିକଟରେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ମାତ୍ର ସେମାନେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପାଲଟା ଗୁଳି ଚଳାଇବାରୁ ସେମାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ପରେ ସେମାନଙ୍କୁ ଗିରଫ କରି ପୁଲିସ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି।