ଗଞ୍ଜାମରେ ପୁଣି ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ ଆହତ

26

କନକ ବ୍ୟୁରୋ: ଗଞ୍ଜାମରେ ପୁଣି ଏନକାଉଂଟର । ଆଜି ଭୋରରୁ ବ୍ରହ୍ମପୁରର ନୂଆ ବାଇଗଣିବାଡିଠାରେ ପୋଲିସ ଏହି ଏନକାଉଂଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ ଆହତ ହୋଇଛି । ତା’ ଗୋଡ଼ରେ ଗୁଳି ବାଜିଛି । ସନ୍ତୋଷକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସନ୍ତୋଷ ନାଁରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି । ଏନକାଉଂଟରରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ସଦର ଥାନା ଆଇଆଇସି ଶିବଶଙ୍କର ମହାପାତ୍ର ।

ସୂଚନା ମୁତାବକ, ଆଜି ସକାଳେ ବ୍ରହ୍ମପୁର ପୁଲିସ ଆଉ ଜଣେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ପୁଲିସ ଏନକାଉଣ୍ଟରରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ରାହାଜାନୀ ଆଦି ବିଭିନ୍ନ ଥାନାରେ ଥିବା ୧୫ଟି ମାମଲାରେ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ ଆହତ ହୋଇଛି । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନୂଆ ବାଇଗଣବାଡ଼ିଠାରେ ହୋଇଥିବା ଏହି ଏନକାଉଣ୍ଟର ସମୟରେ ଇନସପେକ୍ଟର ଶିବଶଙ୍କର ମହାପାତ୍ର, ସବଇନସପେକ୍ଟର ଗୋବିନ୍ଦଚନ୍ଦ୍ର ମହାପାତ୍ର ଓ ଦୁଇଜଣ କନଷ୍ଟେବଳ ଆହତ ହୋଇଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଥାନାରେ ସନ୍ତୋଷ ଗୌଡ଼ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି । ଗତକାଲି ନୂଆବାଇଗଣବାଡ଼ି ଠାରେ ସନ୍ତୋଷ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସନ୍ତୋଷ ପ୍ରଥମେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସ ପାଲଟା ଗୁଳି ଚଳାଇବାରୁ ସନ୍ତୋଷର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ଫଳରେ ସେ ପଡ଼ିଯାଇଥିଲା । ପୁଲିସ ସନ୍ତୋଷକୁ କାବୁ କରି ବ୍ରହ୍ମପୁରସ୍ଥିତ ଏମ କେ ସି ଜି ଡାକ୍ତରଖାନାରେ ଭର୍ତ୍ତି କରିଛି । ସନ୍ତୋଷ ଠାରୁ ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି ।