ହକିର ହକ୍ ଦେବାକୁ ଅଣ୍ଟା ଭିଡିଲେ ନବୀନ! ଜାତୀୟ କ୍ରୀଡ଼ା ମାନ୍ୟତା ଦେବାକୁ ମୋଦିଙ୍କୁ ଚିଠି ଲେଖିଲେ ନବୀନ, ସୋସିଆଲ ମିଡ଼ିଆରେ ମିଳିଲା ଜବରଦସ୍ତ ସମର୍ଥନ

66

କନକ ବ୍ୟୁରୋ : ହକି ଆମର ଜାତୀୟ ଖେଳ ନୁହେଁ । ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କାରଣ ଆମେ ପାଠ ବହିରେ ପଢି ଆସିଛୁ ଯେ, ହକି ଆମର ଜାତୀୟ ଖେଳ । କିନ୍ତୁ ସରକାରୀ ରେକର୍ଡରେ ଏଭଳି କିଛି ତଥ୍ୟ ନାହିଁ । ଆନୁଷ୍ଠାନିକ ଭାବେ ଏଭଳି ମାନ୍ୟତା ହକିକୁ ଦିଆଯାଇ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡିଶାରେ ବିଶ୍ୱକପ୍ ହକି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏକ ସମୀକ୍ଷା ବୈଠକରୁ ସେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହକି ଦେଶବାସୀଙ୍କ ଏକ ପ୍ରିୟ ଖେଳ ହୋଇଥିବାରୁ ଏଦିଗରେ ପଦକ୍ଷେପ ନେଲେ ହକି ଖେଳାଳୀଙ୍କ ପାଇଁ ଉଚିତ ସମ୍ମାନ ହେବ ବୋଲି ଉଲ୍ଲେଖ କରିଛନ୍ତି ନବୀନ ।

ଭାରତୀୟ ହକି ଦଳର ସୁବର୍ଣ୍ଣ ଯାତ୍ରା ଏକ ଏଭଳି ଇତିହାସ ହୋଇ ରହିଯାଇଛି, ଯାହାକୁ ଅତିକ୍ରମ କରିବା ବିଶ୍ୱର କୌଣସି ଦଳ ପାଇଁ ସେତେ ସହଜ ନୁହେଁ । ଅଲମ୍ପିକ୍ସରେ ୮ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ, ଓ ଦୁଇ ଥର ବ୍ରୋଞ୍ଜ ଜିତିଥିବା ଏହି ଦଳ ଭାରତୀୟଙ୍କ ହୃଦୟରେ ଛାଇ ରହିଛି । ଅବଶ୍ୟ ୧୯୯୦ ପରଠାରୁ ଦଳର ପ୍ରଦର୍ଶନରେ ଅବନତି ଦେଖାଦେଇଛି । କିନ୍ତୁ ଭାରତୀୟଙ୍କ ହୃଦୟରେ ଏହା ଜାତୀୟ ଖେଳ ବୋଲି ଶ୍ରଦ୍ଧାର ବିଷୟ ହୋଇ ରହି ଆସିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ହକି ଖେଳକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ଦେଇଥିବା ନେଇ କେନ୍ଦ୍ର ସରକାର କେବେ ଅଧିସୂଚନା ଜାରି କରିନାହିଁ ।

ଆସନ୍ତା ନଭେମ୍ବର ୧୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ ପାଇଁ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେ ମଧ୍ୟ ପ୍ରଥମ ଥର ଜାଣିବାକୁ ପାଇଲେ ଯେ, ଭାରତ ସରକାର ହକିକୁ ଜାତୀୟ ଖେଳର ମାନ୍ୟତା ଦେଇନାହାନ୍ତି । ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ନବୀନ । ଆଉ ଖାସ ହକିକୁ ହକ ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ।ୟକ । ହକିକୁ ଉପଯୁକ୍ତ ସମ୍ମାନ ଦେବା ସହ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାଛଡ଼ା ଅତୀତରେ ଭାରତ ହକି ଦଳ ଏକାଧିକ ଥର ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି । ଦେଶର ଓଡିଶା, ଝାରଖଣ୍ଡ ଓ ଛତିଶଗଡ ପରି ଆଦିବାସୀ ବହୁଳ ଅଂଚଳରେ ହକି ପ୍ରତି ଅହେତୁକ ଆଗ୍ରହ ରହିଛି । ଏହି ଅଂଚଳର ଖେଳାଳୀ ମାନେ ବିଶ୍ୱ ଦରବାର ଭାରତର ନାଁ ରଖିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଏହି ଖେଳକୁ ଜାତୀୟ ଖେଳର ମାନ୍ୟତା ଦେବା ନେଇ ଉଚିତ ପଦକ୍ଷେପ ନେଲେ କୋଟି କୋଟି ହକି ପ୍ରେମୀଙ୍କ ପାଇଁ ଏକ ବଡ ଉପହାର ଏବଂ ମହାନ ହକି ଖେଳାଳୀଙ୍କ ପାଇଁ ଉଚିତ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।

୨୦୧୨ ମସିହାରେ ଐଶ୍ୱର୍ଯ୍ୟା ପରାସର ନାମକ ଜଣେ ଯୁବତୀ ଆରଟିଆଇ ଜରିଆରେ ମାଗିଥିବା ଏକ ପ୍ରଶ୍ନର ଉତ୍ତରରେ , କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ କହିଥିଲା, ଯେ ହକିକୁ ଜାତୀୟ ଖେଳ ଭାବେ କେବେ ଅଧିସୂଚନା ଜାରି କରାଯାଇ ନାହିଁ କିମ୍ବା ବିଜ୍ଞପ୍ତି ଜାରି କରାଯାଇନାହିଁ । ସବୁଠୁ ବଡ଼ କଥା ହେଲା, ଏବେ ହକିକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ନବୀନ । ଏ ବାବଦରେ ମୋଦିଙ୍କୁ ଚିଠି ଲେଖିବା ପରେ ନବୀନଙ୍କ ଏହି ପ୍ରୟାସକୁ ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରବଳ ଜନସମର୍ଥନ ମିଳୁଛି । ଦେଶର ଅଧିକାଂଶ ଲୋକ ହକିକୁ ଜାତୀୟ କ୍ରୀଡ଼ା ଭାବେ ଘୋଷଣା କରିବାକୁ ନବୀନଙ୍କ ମତ ସହ ଏକମତ ହୋଇଛନ୍ତି । ନବୀନଙ୍କ ହକି ପ୍ରେମକୁ ମଧ୍ୟ ଦେଶବାସୀ ବେଶ ପସନ୍ଦ କରିଛନ୍ତି । ହକିର ଉନ୍ନତି ପାଇଁ ନବୀନଙ୍କ ଉଦ୍ୟମ ବାସ୍ତବରେ ପ୍ରଂଶସାଯୋଗ୍ୟ ବୋଲି ଅନେକ ୟୁଜର୍ସ ସୋସିଆଲ ମିଡ଼ିଆରେ ଲେଖିଛନ୍ତି । ହକି ଜାତୀୟ ଖେଳର ମାନ୍ୟତା ପାଉ ତାହା ସମସ୍ତେ ଚାହାଁନ୍ତି – କିନ୍ତୁ କିଏ କେବେ ସେ ଦିଗରେ ପ୍ରଚେଷ୍ଟା କରି ନାହାନ୍ତି – ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଦିଗରେ ପଦକ୍ଷେପ ନେଉଛନ୍ତି । ନବୀନ ଏମିତି ଏକ ମୁଖ୍ୟମନ୍ତ୍ରୀ ଯେ, ଲଗାତାର ହକିର ଉନ୍ନତି ପାଇଁ ସ୍ୱର ଉଠାଉଛନ୍ତି ।