ପ୍ରକାଶ ପାଇଲା ବିଜ୍ଞପ୍ତି ! ଏଥର ଅସଲ ଲଢ଼େଇ

51

କନକ ବ୍ୟୁରୋ : ମଇଦାନ ସରଗରମ । ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଆରମ୍ଭ ହେଲା ଅସଲ ଲଢ଼େଇ । ମାନେ ଏହାପରେ କ୍ୟାମ୍ପସ ଆସିବ ଲିଙ୍ଗଡୋ କମିଶନଙ୍କ ସ୍କାନରକୁ । କ୍ୟାମ୍ପସର ସବୁ ହାଲକୁ ନଜରରେ ରଖି ସବୁ ନିଷ୍ପତି ନେବେ କଲେଜ ଅଧ୍ୟକ୍ଷ । ଉଚିତ ଚାହିଁଲେ ନିର୍ବାଚନ ହେବ ନହେଲେ ବାତିଲ । ତେବେ ଏସବୁ ଭିତରେ ରାଜ୍ୟର ପ୍ରମୁଖ କଲେଜ ଗୁଡିକରେ ନିର୍ବାଚନ ହେବା ନେଇ ଗ୍ରୀନ ସିଗନାଲ ମିଳିସାରିଛି । ଏମିତିକି ରାଜଧାନୀର ସବୁ କ୍ୟାମ୍ପସରେ ବି ଆସନ୍ତା ୨୩ରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ । ଅନ୍ୟପକ୍ଷରେ ଚଳିତବର୍ଷ ଠାରୁ ଜୁନିୟର କଲେଜ ଗୁଡିକୁ ନିର୍ବାଚନରୁ ବାଦ ଦିଆଯାଇଛି ।

କାମ ଦେଲାନି ବୋମାମାଡ; ବିଜେବିରେ ହେବ ନିର୍ବାଚନ :
bjb collegeଆଘାତ କରିପାରିନି ବୋମାମାଡ । ବିଜେବି କଲେଜରେ ହେବ ନିର୍ବାଚନ । କ୍ୟାମ୍ପସରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉକ୍ରଣ୍ଠା ଦ୍ୱିଗଣିତ ହୋଇଛି । ଗତକାଲି ଲେଡିଜ୍ ହଷ୍ଟେଲ ପାଖରେ ଘନଘନ ବୋମାମାଡ ହୋଇଥିଲେ ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିନି । ଗତକାଲିର ଘଟଣା ପରେ କ୍ୟାମ୍ପସରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଛାତ୍ରୀ ହଷ୍ଟେଲ ଛାଡୁଥିବା ବି ଦେଖିବାକୁ ମିଳିଥିଲା । ଫଳରେ ନିର୍ବାଚନ ହେବ କି ନା ସେନେଇ ଆଶଙ୍କାରେ ଥିଲେ ଛାତ୍ରନେତାଏ ।

କିନ୍ତୁ ଆଜି ପୂର୍ବାହ୍ନରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଶଙ୍କା ଦୂର ହୋଇଛି । ନିର୍ବାଚନ ହେବ ବୋଲି ନିଶ୍ଚିତ ହେବା ପରେ ସମସ୍ତଙ୍କ ମନରେ ନୂଆ ଆଶ ସଂଚାର ହୋଇଛି । ଏହାରି ଭିତରେ ଅଧ୍ୟକ୍ଷ ରିସ୍କ ନେଇଥିବାରୁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି । ନିର୍ବାଚନକୁ ନେଇ ଅଧ୍ୟଙ୍କ ନିଷ୍ପତି ଚୁଡାନ୍ତ ହୋଇଥିବାରୁ କଲେଜ ଅଧ୍ୟକ୍ଷ ନିର୍ବାଚନ କରାଇବାକୁ ନିଷ୍ପତି ନେଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ବୋଲି ଛାତ୍ରନେତା କହିଛନ୍ତି ।

ସେହିପରି ବିଜେବିର ସଭାପତି ପ୍ରାର୍ଥୀ ଅଶୋକ କୁମାର ମଲ୍ଲିକ କହିଛନ୍ତିି, ନିର୍ବାଚନ ଦ୍ୱାରା କ୍ୟାମ୍ପସରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ । ବିଗତ ଦିନ ମାନଙ୍କରେ ବିକାଶ ବାଧାପ୍ରାପ୍ତ ହୋଇଥିବା ବେଳେ ଚଳିତ ଥର ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରାଇବାକୁ ସେ ଅପିଲ କରିଛନ୍ତି । ଗତକାଲି ସିରିଜ ବୋମାମାଡରେ ଥରି ଉଠିଥିଲା କ୍ୟାମ୍ପସ । ଅପରାହ୍ନ ଠାରୁ ରାତି ଭିତରେ ଘନଘନ ବୋମାମାଡ ହୋଇଥିଲା । ଟିକିନା ନାମକ ଜଣେ ସୁରକ୍ଷାକର୍ମୀ ବୋମାମାଡରେ ଆହତ ହୋଇଥିବା ଜଣାପଡିଥିଲା ।

୨୦୧୬ରେ ହିଂସା ପାଇଁ ଏଠାରେ ବାତିଲ ହୋଇଥିଲା ନିର୍ବାଚନ । ବିଳମ୍ବିତ ରାତି ଯାଏ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ । କଲେଜ କ୍ୟାମ୍ପସରେ ବୋମାମାଡ ହୋଇଥିଲା । ବାଇକ ପୋଡିଥିଲେ ଅଣଛାତ୍ର । ଏହପରେ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା ।

ବାଣୀବିହାରରେ ବି ହେବ ନିର୍ବାଚନ:
vani vihar campusଛାତ୍ରସଂସଦ ନିର୍ବାଚନରେ ସବୁବେଳେ ଦୃଷ୍ଟି ଆକର୍ଷଣ କରୁଥିବା ବାଣୀବିହାରରେ ମଧ୍ୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଚ୍ଚୁ ଏଠାରେ ମଧ୍ୟ ଚଳିତ ଥର ନିର୍ବାଚନ ହେବ । ପ୍ରାକ୍ ନିର୍ବାଚନୀ ହିଂସାରେ କ୍ୟାମ୍ପସ ଦୁଇଦିନ ତଳେ ତତଲା ଥିବା ବେଳେ ପୁଲିସ ଓ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ସଫଳ ହୋଇଛି । ନିଜେ ଡିସିପି ସତ୍ୟବ୍ରତ ଭୋଇ ବାଣୀବିହାର ଉପରେ ନଜର ରଖିଥିବା କହିଛନ୍ତି । ତେଣୁ କ୍ୟାମ୍ପସରେ ସେମିତି କିଛି ପରିସ୍ଥିତି ଉପୁଜିବ ନାହିଁ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଏଠାରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଅଶାନ୍ତିର କାରଣ ବୋଲି ଲଗାତର ଅଭିଯୋଗ ହୋଇ ଆସୁଥିଲା । ତେବେ ଏହାର ସମାଧାନ କରାଯାଇଛି । ଏବେ କ୍ୟାମ୍ପସକୁ ଯାଉଥିବା ପ୍ରତ୍ୟକଙ୍କର ପରିଚୟ ପତ୍ର ଯାଂଚ କରାଯାଉଛି । ତେଣୁ ଅଣଛାତ୍ର ପ୍ରବେଶ ଉପରେ ରୋକ ଲାଗିପାରିବ ବୋଲି ସମ୍ଭାବନା ଦେଖାଦେଇଛି । ସେପଟେ ନିର୍ବାଚନକୁ ନେଇ କର୍ତ୍ତୁପକ୍ଷ ପ୍ରସ୍ତୁତ ଥିବା କହିଛନ୍ତି । ଏବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

ବାଣୀବିହାରରେ ଜନୈକା ଛାତ୍ରୀଙ୍କୁ ଅଣକ୍ତାତ୍ରଙ୍କ କମେଣ୍ଟ ମାରିବା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା । ଏବିଭିପି ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଏବିଭିପିର ବିକ୍ଷୋଭ ବେଳେ ଛାତ୍ର ବିଜେହି ମଧ୍ୟ ସଭାପତି ପ୍ରାର୍ଥୀଙ୍କୁ ଆକ୍ରମଣର ପ୍ରତିବାଦ କରି ସମାନ ଢ଼ଙ୍ଗରେ ବିକ୍ଷୋଭ କରିଥିଲେrajdhani college । ଭାରତ ମାତା କୀ ଜୟ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପାଇଥିଲେ କ୍ୟାମ୍ପସକୁ । ଏହାପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କେବଳ ବାଣୀବିହାର କି ବିଜେବି ନୁହେଁ ରାଜଧାନୀ କଲେଜରେ ବି ପ୍ରାକ୍ ନିର୍ବାଚନୀ ହିଂସା ଉଗ୍ରରୂପ ନେଇଛି । ଏଠାରେ ପ୍ରାର୍ଥୀଙ୍କୁ ଦୁଇ ଦୁଇଥର ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କାଠ ଫାଳିଆ ଉଡିଛି କ୍ୟାମ୍ପସରେ । ଅଣଛାତ୍ର ଅଶାନ୍ତିି ସୃଷ୍ଟି କରିଥିବା ବେଳେ ଏଠାରେ ମଧ୍ୟ ନିର୍ବାଚନ ପାଇଁ କର୍ତ୍ତୁପକ୍ଷ ପ୍ରସ୍ତୁତ ଥିବା ଜଣାପଡିଛି ।

ଏକାମ୍ର ପାଇଁ ଆକ୍ସନ ପ୍ଲାନ :
ଚଳିତ ବର୍ଷ ଏକାମ୍ର କଲେଜରେ ନିର୍ବାଚନ ହେବା ନେଇ କ୍ଷେତ୍ର ପ୍ରସ୍ତୁତ ହୋଇଛି । ବିଗତ ଦିନରେ ହିଂସା ପାଇଁ ନିର୍ବାଚନ ବାତିଲ ହୋଇଥିଲା । କିନ୍ତୁ ଚଳିତବର୍ଷ କ୍ୟାମ୍ପସରେ ଶାନ୍ତି ବଜାୟ ରହିଥିବାରୁ ନିର୍ବାଚନ କରିବାକୁ କର୍ତ୍ତୁପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିଲେ । ମାନେ ନିର୍ବାଚନ ପାଇଁ ପ୍ରାର୍ଥୀ ବି ତୟାର ଆଉ କର୍ତ୍ତୁପକ୍ଷ ବି । ତେବେ ନିର୍ବାଚନ ପାଇଁ କିଛି କଟକଣା ଓ ନିୟମକାନୁନ ପ୍ରସ୍ତୁତ କରିଛନ୍ତି କର୍ତ୍ତୁପକ୍ଷ ।

କଲେଜକୁ ଛାତ୍ରଛାତ୍ରୀ ନିର୍ବାଚନୀ ପ୍ରକ୍ରିୟା ଭିତରେ ୟୁନିଫର୍ମ ପିନ୍ଧି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ପରିଚୟ ପତ୍ର ସାଙ୍ଗରେ ନଥିଲେ ପ୍ରବେଶ କଟକଣା ରହିବ ବୋଲି କହିଛନ୍ତି କଲେଜ କର୍ତ୍ତୁପକ୍ଷ । ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡି ପାର୍କିଂ, ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଓ କଲେଜ ଛାତ୍ରଛାତ୍ରୀ ଶୃଙ୍ଖଳା ମାନିବାକୁ ନିୟମାବଳୀ ପ୍ରସ୍ତୁତ ହୋଇଛି । ଏହାକୁ ମାନିବା ପାଇଁ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ପୁରୀରେ ତୃତୀୟ ସାମ୍ମୁଖ୍ୟର ହଠାତ ଆବିର୍ଭାବ
ପୁରୀ ଏସସିଏସ କଲେଜରେ ହଠାତ ତୃତୀୟ ସାମ୍ମୁଖ୍ୟର ଆବିର୍ଭାବ ହୋଇଛି । ପୂର୍ବରୁ ଦ୍ୱିମୁଖୀ ଲଢ଼େଇ ହେବ PURIବୋଲି ଆଶା କରାଯାଉଥିଲା । ଏକରକମ ନିଶ୍ଚିତ ବି ଥିଲେ ସଭିଏଁ । ହେଲେ କ୍ୟାମ୍ପସ କ୍ୟାମ୍ପେନିଂର ଶେଷ ଦିନରେ ଉଭା ହୋଇଛି ତୃତୀୟ ସମ୍ଭାବନା । ତେବେ ଲିଙ୍ଗଡୋ ଛାଟରେ ଆହତ ହେବାକୁ ଥିବା ପ୍ରାର୍ଥୀଙ୍କ ବଦଳରେ ଏହି ଗୋଷ୍ଠୀ ଡମି କ୍ୟାଣ୍ଡିଡେଟ ଭୂମିକା ନିଭାଇବେ ବୋଲି ଅନୁମାନ କରାଯାଉଛି ।

ପୋଷ୍ଟରରେ ନବୀନ ଓ ବିଷ୍ଣୁ
ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ଓ କଲେଜ କର୍ତ୍ତୃପକ୍ଷଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଲିଙ୍ଗଡୋ କମିସନଙ୍କ ନିୟମ ମାନିବା ବାଧ୍ୟତାମୂଳକ। କମିସନ୍ଙ୍କ ନିୟମ ମୁତାବକ, ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ବା ପଦପଦବୀରେ ଥିବା ବ୍ୟକ୍ତିଙ୍କ ଫଟୋ ଲାଗି ପାରିବେ ନାହିଁ। ହେଲେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଏହି ନିୟମର ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି।

JSPବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଲେଜ ନିକଟରେ ଲଗାଯାଇଥିବା ପୋଷ୍ଟରରେ ଦଳ ସମର୍ଥିତ ପ୍ରାର୍ଥୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଫଟୋ ରହିଛି। ଏହାକୁ ନେଇ ଏବିଭିପି ଏବଂ ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଛି। କଲେଜ କର୍ତ୍ତୃପକ୍ଷ ଏହା ଉପରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଶାସକ ଦଳର ପ୍ରାର୍ଥୀ ହୋଇଥିବାରୁ ଛାତ୍ରସଂସଦ ନିର୍ବାଚରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାକୁ ରୋକାନଗଲେ ଏବିଭିପି ଏବଂ ଛାତ୍ର କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛନ୍ତି।

ଅଳକାରେ ପ୍ରାର୍ଥୀ ଦେଲା ଏବିଭିପି
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏପିଭିପି) ପକ୍ଷରୁ ପ୍ରଥମ ଥର ପାଇଁ ଅଳକା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରାଥୀ ଦିଆଯାଇଛି। ଆଜି ଏକ ବୈଠକରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପରିଷଦର ଜିଲ୍ଲା ସହ ପ୍ରମୁଖ ଶକ୍ତିଧର ମିଶ୍ର, ଜିଲ୍ଲା ସଂଯୋଜକ ବଳରାମ ଦଳାଇ, ଅଜୟ ବେହେରା, ଦେବାଶିଷ ଚୌଧୁରୀ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ପରିଷଦର ସଭାପତି ପ୍ରାର୍ଥୀ ଭାବେ ବିଜ୍ଞାନ ବିଭାଗର ପୂର୍ଣ୍ଣେନ୍ଦୁ କୁମାର ଦାସ, ଉପ-ସଭାପତି ଭାବେ ଅୟସକାନ୍ତ ଦାସ, ସାଧାରଣ ସମ୍ପାଦକ ଉପେନ୍ଦ୍ର ମଲ୍ଲିକ, ସହ ସାଧାରଣ ସମ୍ପାଦକ ଶ୍ରବଣ କୁମାର ଜେନା ଓ ନାଟ୍ୟ ସମ୍ପାଦକ ଭାବେ ସୌମ୍ୟରଂଜନ ନାୟକଙ୍କ ନାମ ଘୋଷଣା କରାଯାଇଛି।

ରେଢୁଆ କଲେଜରେ ପ୍ରାର୍ଥୀ ମିଳୁନାହାନ୍ତି
ରଘୁନାଥପୁର ବ୍ଲକ୍ର ଏକମାତ୍ର ନିର୍ବାଚନ ହେଉଥିବା କଲେଜ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଏଯାବତ୍ ପରିବେଶ ମାନ୍ଦା ପଡ଼ିଥିବା ବେଳେ ଦୁଇଦିନ ହେଲା ସେଥିରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି। ତେବେ, ଯୋଗ୍ୟ ପ୍ରାର୍ଥୀ ମିଳୁନଥିବାରୁ ଛାତ୍ରନେତାମାନେ ଅଡୁଆରେ ପଡ଼ିଛନ୍ତି।

ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ର ବିଜେଡିର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ମଧ୍ୟରେ ଅଙ୍କକଷା ଓ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଅନ୍ୟ କୌଣସି ରାଜନୈତିକ ଦଳ ସମର୍ଥିତ ପ୍ରାର୍ଥିଙ୍କ ନାମ ଶୁଣା ଯାଉନଥିବା ବେଳେ ସେହି ପୂର୍ବବର୍ଷଗୁଡ଼ିକ ଭଳି ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଲଢ଼େଇ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ଏଥିପାଇଁ ଦଳୀୟ ପଦପଦବିରେ ଥିବା ବ୍ଲକ୍ସ୍ତରୀୟ ନେତାମାନେ କଲେଜ ସମ୍ମୁଖରେ ପଇନ୍ତରା ମାରୁଥିବା ଦେଖାଯାଉଛି।

ବ୍ୟାନରରେ ହାତ ମାରି ହଟହଟା
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରାର୍ଥୀମାନଙ୍କ ବ୍ୟାନର୍ରେ ହାତ ମାରି ବୁଧବାର ହଟହଟା ହୋଇଛନ୍ତି ବିଏମ୍ସିର ଅଧିକାରୀ। ପ୍ରାର୍ଥୀ କିମ୍ବା ସେମାନଙ୍କ ସମର୍ଥକ ଛାତ୍ରୀଙ୍କ ବିନା ଅନୁମତିରେ ବ୍ୟାନର ଚିରିବାକୁ ଉଦ୍ୟମ କରି ଛାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଅଧିକାରୀମାନେ। ଛାତ୍ରୀଙ୍କ ବିରୋଧ ଏଭଳି ଥିଲା ଯେ ଅଧାରୁ ବ୍ୟାନର୍ ଚିରିବା ଛାଡ଼ି ପଳାଇଥିଲେ। ଯେଉଁଥିପାଇଁ କ୍ୟାମ୍ପସ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି college electionଉପୁଜିଥିଲା।

ରମାଦେବୀ ବିଶ୍ୱବିଦ୍ୟାଳୟର ଆଶାୟୀ ପ୍ରାର୍ଥୀମାନେ କ୍ୟାମ୍ପସରେ ବ୍ୟାନର୍ ଲଗାଇ ପ୍ରଚାର କରୁଛନ୍ତି। ଏକ ମାସ ହେଲା ଏଭଳି ଚାଲିଥିବାବେଳେ ବୁଧବାର ହଠାତ୍ ବିଏମ୍ସିର ଏକ ଗାଡ଼ି ପହଞ୍ଚି ବ୍ୟାନର୍ ହଟାଇବାକୁ ଉଦ୍ୟମ କରିଥିଲେ। ପ୍ରଥମେ ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲଙ୍କ ବ୍ୟାନର୍ ହଟାଉଥିବା ବେଳେ ଛାତ୍ରୀମାନେ ଉତ୍କ୍ଷିପ୍ତ ହୋଇ ଅଧିକାରୀମାନଙ୍କୁ ଘେରାଉ କରିଥିଲେ। କ’ଣ ପାଇଁ ବ୍ୟାନର୍ ହଟାଯାଉଛି ବୋଲି ବୋଲି ପ୍ରଶ୍ନ କରିଥିଲେ। ଛାତ୍ରୀମାନେ କହିଥିଲେ ଯେ, କାହା ଇଙ୍ଗିତରେ ବ୍ୟାନର ହଟାଯାଉଛି। କାହାଠାରୁ ପଇସା ନେଇ ଏଭଳି ବ୍ୟାନର କାଢ଼ୁଛ ବୋଲି ପ୍ରଶ୍ନ କରିଥିଲେ।

rdସେମାନେ ଯୁକ୍ତି କରିଥିଲେ, ରାଜନୈତିକ ଦଳ ନେତାଙ୍କ ବ୍ୟାନର ଏବଂ ପତାକା ରାସ୍ତା ମଝିରେ ଲାଗିଥିବା ବେଳେ ତାହାକୁ ହଟାଉନ। ଅଥଚ ଆମ ବ୍ୟାନର ରାସ୍ତା ପାର୍ଶ୍ୱରେ କ୍ୟାମ୍ପସ ନିକଟରେ ଲାଗିଥିବା ବେଳେ ତାହାକୁ କାଢ଼ିବାକୁ ଚାଲି ଆସିଲ? ଛାତ୍ରୀଙ୍କ ଏଭଳି ପ୍ରଶ୍ନବାଣରେ ବିଏମ୍ସିର ଅଧିକାରୀମାନେ ପଛଘୁଞ୍ଚା ଦେଇଥିଲେ। ଛାତ୍ରୀମାନଙ୍କୁ ସେମାନଙ୍କ ବ୍ୟାନର୍ ଫେରାଇଥିଲେ। ଏହାପରେ ଛାତ୍ର କଂଗ୍ରେସର ସଭାପତି ପ୍ରାର୍ଥୀ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କ ବ୍ୟାନର ଚିରିବାକୁ ଉଦ୍ୟମ କରିବା ସମୟରେ ସମାନ ଅବସ୍ଥାର ସମ୍ମୁଖୀନ ହୋଇଥିଲେ ବିଏମ୍ସିର ଅଧିକାରୀ। ପ୍ରାୟ ଏକ ଘଣ୍ଟା କାଳ ହଟହଟା ହେବା ପରେ ସେ ସ୍ଥାନ ଛାଡ଼ି ପଳାଇଥିଲେ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ଗୁଡ଼ିକ ଯାଞ୍ଚ ହେବ। ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ସହ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ସେପ୍ଟେମ୍ବର ୨୨ରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବ। ୨୩ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଭୋଟଗ୍ରହଣ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ଫଳ ପ୍ରକାଶ କରାଯିବ। ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।