ରାଜ୍ୟସଭା ପାଇଁ ବାଜିଲା ବିଗୁଲ ! ଆସନ ୩, ଆଶାୟୀ ଅନେକ । କାହାକୁ ଭରସିବେ ନବୀନ

31

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଓଡ଼ିଶାର ୩ଟି ଆସନ ପାଇଁ ହେବ ଭୋଟ । ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦଙ୍କ କାଯ୍ୟକାଳ ଶେଷ ହେବାକୁ ଯାଉଛି । ଦିଲ୍ଲୀପ ତିର୍କୀ, ଏଭି ସ୍ୱାମୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୧୨ ରହିଥିବା ବେଳେ ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ରହିଛି ମାର୍ଚ୍ଚ ୧୩ ।

ସେହିଭଳି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ୧୫ ମାର୍ଚ୍ଚ । ୨୩ ମାର୍ଚ୍ଚରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ସେହିଦିନ ୫ଟାରେ ଭୋଟ ଗଣତି ହେବ ହୋଇ ଫଳାଫଳ ପ୍ରକାଶ ପାଇବ । ବିଜ୍ଞପ୍ତି ଅନୁଯାୟୀ, ୧୬ଟି ରାଜ୍ୟର ୫୮ଟି ସିଟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି । ସେହିଭଳି ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟ ୨ ଏପ୍ରିଲରେ ଶେଷ ହେବ ।