ଐତିହ୍ୟ କ୍ୟାବିନେଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ! ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ ସାମିଲ, ଓଡିଆ ଭାଷା,ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରଖିବେ ସମନ୍ୱୟ । 

46

କନକ ବ୍ୟୁରୋ : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ସଂରକ୍ଷଣ ଓ ସଂମୃଦ୍ଧି ସମ୍ପର୍କରେ ବିଚାର ବିମର୍ଷ କରି ନୀତି ନିର୍ଧାରଣ  କରିବା ଓ  ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ ଗଠନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସମେତ ୮ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି ।  ଏହି କ୍ୟାବିନେଟ୍  ଓଡିଆ ଭାଷା. ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥା  ଓ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବ । ଏହା ସହିତ ଐତିହ୍ୟ କ୍ୟାବିନେଟ ନୀତି ନିର୍ଧାରଣ ପାଇଁ  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସଂପୃକ୍ତ ସମସ୍ତ ବିଭାଗ ଗୁଡିକର  ନିର୍ଦ୍ଦିଷ୍ଟ ପରାମର୍ଶ ଦେବା ଓ ପ୍ରୟୋଜନ ହେଉଥିବା ପ୍ରସ୍ତାବ ଆଲୋଚନା ମାଧ୍ୟମରେ ଚୂଡାନ୍ତ କରିବ ।

ଅନ୍ୟାନ୍ୟ କାମ ସହ କ୍ୟାବିନେଟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକତା ଓ ବିବିଧତା ଅକ୍ଷୂର୍ଣ୍ଣ ରଖିବା ନିମନ୍ତେ ସ୍ୱଳ୍ପ ତଥା ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତି ତଥା ଅନୁମୋଦନ କରିବା ଓ ସେ ସମ୍ପର୍କରେ ଆବଶ୍ୟକୀୟ ପରାମର୍ଶ ଦେବା । ମୁଖ୍ୟ ଶାସନ ସଚିବ ଏହି ଐତିହ୍ୟ କ୍ୟାବିନେଟର  ସଚିବ ଭାବେ କାମ କରିବେ ।   ଓଡିଆ ଭାଷା. ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଏହାର ଆବାହକ ଭାବେ କାମ କରିବେ । ସଂପୃକ୍ତ ସମସ୍ତ ବିଭାଗର ସଚିବ ଏହି କ୍ୟାବିନେଟ ବୈଠକକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ହେବେ ।