ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପରିଚାଳନା କମିଟିର ପଛଘୁଂଚା ! ରଥଯାତ୍ରାରେ ବିଶୃଙ୍ଖଳା କରିଥିବା ୨୪ ଜଣ ସେବାୟତଙ୍କୁ ହେବ କାରଣ ଦର୍ଶାଅ ନୋଟିସ ।

47

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ମଧ୍ୟରୁ ତିନିଟି ପ୍ରମୁଖ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ପଛଘୁଂଚା ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ, ଅନ୍ନଦାନ ଆଟିକା ବା ଦାନ ଥାଳ ବ୍ୟବସ୍ଥା ବନ୍ଦ ଓ ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟ – ୧୯୫୪ର ସଂଶୋଧନ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସବ କମିଟି ଗଠନ କରାଯାଇଛି । କମିଟି ଆଳରେ ସମୟ ଗଡାଇ ଦେବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିରରେ ସଂସ୍କାର ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯିବ, ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଘମାଘୋଟ ଆଲୋଚନା ହୋଇଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୧୨ଟି ନିର୍ଦ୍ଦେଶନାମା ମଧ୍ୟରୁ ଯେଉଁ ତିନିଟି ନିର୍ଦ୍ଦେଶନାମା ଉପରେ ବିବାଦ ଲାଗିରହିଛି, ସେଗୁଡିକୁ ଛୁଇଁବାକୁ ସାହାସ କରିପାରିନି ପରିଚାଳନା କମିଟି ।

ଏହି ନିର୍ଦ୍ଦେଶଗୁଡିକ ହେଉଛି –

୧ – ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ

୨ – ଅନ୍ନଦାନ ଆଟିକା ବା ଦାନ ଥାଳ ବ୍ୟବସ୍ଥା ବନ୍ଦ

୩ – ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟ – ୧୯୫୪ର ସଂଶୋଧନ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ସଂପର୍କରେ ଅଧିକ ମତାମତ ପାଇଁ ସବକମିଟି ଗଢାଯାଇଛି । ସବକମିଟିର ତର୍ଜମା ପରେ ସୁପ୍ରିମକୋର୍ଟରେ ଏ ନେଇ ଆଫିଡେବିଟ୍ ଦାଖଲ କରାଯିବ । ସୁପ୍ରିମକୋର୍ଟଙ୍କ ଏହି ତିନିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହେଲେ ଅଧିକ ବିଚାର ବିମର୍ଶ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେହିପରି ଅନ୍ୟ ୯ଟି ନିର୍ଦ୍ଦେଶନାମା ମଧ୍ୟରୁ ରୋଷ ଘର ଓ ଆନନ୍ଦବଜାର ପରିଚାଳନା ଏବଂ ଶ୍ରୀମନ୍ଦିର ଗାଇଡ୍ ଓ ସେବାୟତଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କ୍ଷେତ୍ରରେ ମଧ୍ୟ ନିଷ୍ପତି ଅଟକି ଯାଇଛି । କିପରି ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ, ସେ ନେଇ ମଧ୍ୟ ସବକମିଟି ଗଢ଼ାଯାଇଛି ।

ସେପଟେ ଚଳିତ ରଥଯାତ୍ରାର ସିସିଟିଭି ଫୁଟେଜକୁ ପୁଂଖାନୁପୁଂଖ ଯାଂଚ କରିଛି ପରିଚାଳନା କମିଟି । ରଥଯାତ୍ରାରେ ନିୟମ ଉଂଲଘନ କରିଥିବା ୨୪ ଜଣ ସେବାୟତ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ସେହିପରି ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ପରିଚାଳନା କମିଟି ନିଷ୍ପତି ନେଇଛି ।