ରାଜଧାନୀର ବଡ ବଡ ସପିଂ ମଲକୁ ଚେତାବନୀ ଦେଲା ପୁଲିସ ! ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଦେଲା ଦୁଇ ମାସ ସମୟ

20

କନକ ବ୍ୟୁରୋ : ଅଗ୍ନି ନିର୍ବାପକ ସୁବିଧା ନଥିବା ରାଜଧାନୀର ୧୦ଟି ବଡ ବଡ ସପିଂ ମଲରେ ନୋଟିସ ଲଗାଇଲା କମିଶନରେଟ୍ ପୋଲିସ । ମଲରେ ଅଗ୍ନି ନିର୍ବାପନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବାକୁ ଦୁଇ ମାସ ସମୟ ଦିଆଯାଇଛି । ନଚେତ୍ ମଲରେ ତାଲା ଲଗାଇବାକୁ ଚେତାବନୀ ଦିଆଯାଇଛି ।

ରାଜଧାନୀର ବଡ ବଡ ୧୦ଟି ମଲକୁ ଅଗ୍ନିଶମ ବିଭାଗର ନୋଟିସ । କୌଣସି ବି ମଲରେ ନାହିଁ ସମ୍ପୂର୍ଣ୍ଣ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା । ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି ଯେ, ଗୋଟିଏ ଛାତ ତଳେ ସମସ୍ତ ଜିନିଷ ସହଜରେ ମିଳିଯାଉଥିବା ଏହି ମଲ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ, ମାତ୍ର କେଇ ଲକ୍ଷ ଟଙ୍କା ପାଇଁ ମଲ ମାଲିକ ମାନେ ଅଗ୍ନି ନିରାପତ୍ତାକୁ ବେଖାତିର କରିଛନ୍ତି । ଯେଉଁଥିପାଇଁ ଲୋକଙ୍କ ଜୀବନକୁ ନେଇ ଖେଳ ଖେଳିଥିବା ଏହି ସପିଂମଲ ଗୁଡିକୁ ତାଗିଦ କରାଯାଇଛି । ଆଉ ୨ ମାସର ମହଲତ ମିଳିଛି । ଏହି ସମୟସୀମା ଭିତରେ ଯଦି ମଲରେ ଥିବା ତୃଟି ନସୁଧୁରେ ତାହାଲେ ମଲରେ ତାଲା ଝୁଲିପାରେ । ଅଗ୍ନିଶମ ବିଭାଗର ନୋଟିସ ଅନୁସାରେ ଭୁବନେଶ୍ୱରର ୧୦ଟି ବଡ ବଡ ସପିଂମଲରେ ଏହି ସବୁ ବ୍ୟବସ୍ଥା ରହିବାର ଥିଲା ହେଲେ ନାହିଁ ।

– ମହଜୁଦ ଠାରୁ ୧୦୦ ନିଆଁ ଲିଭାଇବା ଯନ୍ତ୍ର କମ୍ ରହିଛି ।

– ବେସମେଂଟରେ ମେକାନିକାଲ ଏବଂ ନ୍ୟାଚୁରାଲ୍ ଭେଂଟିଲେସନ ନାହିଁ ।

– ଫାୟାର ଫାଇଟିଙ୍ଗ ପାଇଁ ଟେରାସରେ ୨୦ ହଜାର ଲିଟର ପାଣି ଗଛିତ ନାହିଁ ।

– ଫାୟାର ହାଉସ୍ ଗୁଡିକ ଉନ୍ନତ ମାନର ନୁହେଁ ।

– ଲିଫ୍ଟ ଏବଂ ସିଢିରେ ଫାୟାର ଚେକ୍ ଡୋର ନାହିଁ ।

ତେବେ ଖୁବଶୀଘ୍ର ଏସବୁ ତୃଟିକୁ ସୁଧାରିବା ପାଇଁ କହିଛନ୍ତି ମଲ ଦାୟିତ୍ୱରେ ଥିବା ମ୍ୟାନେଜର ମାନେ । ତେବେ ଏଇଠି ପ୍ରଶ୍ନ ଉଠୁଛି କାହିଁକି ବିନା ଫାୟାର ସେଫଟି ଲାଇସେନ୍ସରେ ବର୍ଷ ଧରି ଚାଲିଥିଲା ଏହି ସବୁ ସପିଂ ମଲ୍ ? ଲୋକଙ୍କ ଜୀବନ ସହ ଖେଳ ଖେଳିବାର ସାହାସ ଏମାନଙ୍କୁ ଦେଲା କିଏ ? ସବୁଠୁ ବଡ ପ୍ରଶ୍ନ ହେଲା ୨ ମାସର ମହଲତ ଭିତରେ ଯଦି ମଲ ଭିତରେ କିଛି ଅଘଟଣ ଘଟେ ତେବେ ସେଥିପାଇଁ କିଏ ଦାୟି ରହିବ ?